ଭୁବ‌ନେଶ୍ବର : ପ୍ରଚଣ୍ଡ ଶୀତରେ ଥରୁଛି ସାରା ଭାରତ। ପୂର୍ବରୁ ଉତ୍ତର ହେଉ, ଅଥବା ପଶ୍ଚିମରୁ ଉତ୍ତରପୂର୍ବ ଭାରତ; ସବୁଠି ସ୍ଥିତି ସାଂଘାତିକ ହେଲାଣି। ଅନକେ ସ୍ଥାନରେ ପଦାକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ଆଉ କେତେକ ସ୍ଥାନରେ ଜାଡ଼ରେ ଲୋକଙ୍କ ଜୀବନ ଚାଲିଯାଇଥିବା ଖବର ଆସିଲାଣି। ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଶହେ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରେ ଡିସେମ୍ବରରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରିକୁ ଖସି ଆସିଛି। କେବଳ ଦିଲ୍ଲୀ ନୁହେଁ, ଏହା ନିକଟରେ ଥିବା ସହରଗୁଡ଼ିକରେ ବି ସମାନ ସ୍ଥିତି ଲାଗିରହିଛି। ସର୍ବନିମ୍ନ ତାପମାତ୍ରା ହଠାତ୍‌ ୩ରୁ ୪ ଡିଗ୍ରି ଖସିଯିବାକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି।

Advertisment

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଭାରତରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପାଖାପାଖି ୫ ଡିଗ୍ରି ତଳେ ରହିଛି। ଗତକାଲି ଦିଲ୍ଲୀ ସମେତ କେତେକ ରାଜ୍ୟରେ ଥଣ୍ଡା ରେକର୍ଡ ଭାଙ୍ଗିଛି। ଆସନ୍ତା ୪୮ ଘଣ୍ଟା ଧରି ଏଭଳି ଭୟଙ୍କର ଜାଡ଼ ଲାଗି ରହିବ। ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶର ଅଧା ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୨୮ ତାରିଖ ପାଇଁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଓ ଉତ୍ତର ପ୍ରଦେଶ ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଥିବା ବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ସିକିମ୍‌ ଆଦି ରାଜ୍ୟ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଓଡ଼ିଶା ସମେତ ଉପରୋକ୍ତ ରାଜ୍ୟଗୁଡ଼ିକରେ ଶୀତ ସହ ଘନ କୁହୁଡ଼ି ଲାଗିରହିବ। ୨୯ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଲେ ମଧ୍ୟ ପଞ୍ଜାବ, ହରିୟାଣା, ଛତିଶଗଡ଼ ଓ ଦିଲ୍ଲୀରେ ପାଖାପାଖି ସମାନ ସ୍ଥିତି ଜାରି ରହିବ। ୩୦ ତାରିଖଠାରୁ ଓଡ଼ିଶାରେ ପାଗରେ ପରିବର୍ତନ ଆସିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏପଟେ ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ ୨୮ ତାରିଖ‌ରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ତେବେ ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଥଣ୍ଡା ହେବା ସହ ଉତ୍ତର ଓଡ଼ିଶା, କନ୍ଧମାଳ, ପୁରୀ, ଖୋର୍ଧା, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୮ ତାରିଖ ପୂର୍ବାହ୍ନରୁ ୨୯ ତାରିଖ ମଧ୍ୟରେ ପ୍ରବଳ ଥଣ୍ଡା ହେବ। ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବ‌ାଲେଶ୍ବର ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ଖସିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ବରରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘନ କୁହୁଡ଼ି ପଡ଼ିବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୨୮ ତାରିଖରେ ପାଗ ମେଘୁଆ ପାଗ ଲାଗିରହିବ। ଦକ୍ଷିଣ ଉପକୂଳରେ ହାଲୁକା ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମା ଡିଷ୍ଟର୍ବାନ୍ସ ଯୋଗୁଁ ଦିଲ୍ଲୀ, ପଞ୍ଜାବ ସମେତ ଉତ୍ତର ଭାରତ‌ରେ ପ୍ରବଳ ଥଣ୍ଡା ଲାଗି ରହିଛି। ଚଳିତବର୍ଷ ଶୀତ ବିଳମ୍ବିତ ଓ କମ୍‌ ଦିନ ଶୀତ ହେବାକୁ ଥିଲେ ସୁଦ୍ଧା ପ୍ରକୋପ ଅଧିକ ରହିବ। ୨୮ ତାରିଖ ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ବଢ଼ିବ। ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ତେବେ ୨୯ ତାରିଖଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଥଣ୍ଡା କମିବ। ୩୧ ତାରିଖ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ପୁଣିଥରେ ୪ରୁ ୬ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ବର୍ତମାନ ଲାଗି ରହିଥିବା କୋହଲା ପାଗ ଉତ୍ତର ଓଡ଼ିଶାରେ ୨୯ ତାରିଖଠାରୁ କମିବ। ୩୧ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିବ। ୧ ଓ ୨ ତାରିଖରେ ପାଗ ଅତି କୋହଲା ସହ ରାତି ପରି ଦିନରେ ଶୀତ ହେବ। ପଶ୍ଚିମ ଓଡ଼ିଶାରେ ୩୧ ତାରିଖରେ କୋହଲା ପାଗ ରହିବ। ଜାନୁଆରି ୨ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ କୋହଲା ପାଗ ରହିବ। ଦିନ ସମୟରେ ବି ଶୀତ ଅନୁଭୂତ ହେବ। ବର୍ତମାନ ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହୁଥିବାରୁ ଥଣ୍ଡା ବଢ଼ିଛି। ତେବେ ୨୯ ତାରିଖରୁ ପବନ ପ୍ରବାହର ଦିଗରେ ପରିବର୍ତନ ଆସିବ। ବଙ୍ଗୋପସାଗାରୀୟ ପୂର୍ବା ପବନ ବହିବା ହେତୁ ଶୀତ କମିବ। କିନ୍ତୁ ପାଗ ମେଘୁଆ ଓ ବର୍ଷା ହେବାର ସମ୍ଭାବନା ରହିଛି।