ନୂଆଦିଲ୍ଲୀ/ଶ୍ରୀନଗର: ସମଗ୍ର ଉତ୍ତର ଭାରତରେ ଏବେ ଶୀତ ଲହରୀର ପ୍ରକୋପ ବଢ଼ି ଚାଲିଛି। ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବରଫପାତ ଜାରି ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ବିଗତ ୨ ଦିନ ଭିତରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛିି । ପ୍ରବଳ ବରଫପାତ ଯୋଗୁଁ ଲଦାଖ ଅଂଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ଅଂଚଳକୁ ନଭେମ୍ବରରୁ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ଲେହରେ ତାପମାତ୍ରା ବିଯୁକ୍ତ ୧୭ ଡିଗ୍ରି ସେଲ୍‌୍‌୍‌ସିୟସ ରହିଥିବା ରେକର୍ଡ କରାଯାଇଛି। ସମଗ୍ର ଅଂଚଳ ବରଫର ଆସ୍ତରଣ ତଳେ ରହିଛି। ସିମଳାରେ ଭୟଙ୍କର ଶୀତ ଲହରୀ ଅନୁଭୂତ ହେଉଛି ଏବଂ ଏଠାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ଦିନରେ ଏହା ଆହୁରି ଖସିବ ବୋଲି ଅନୁମାନ କରାଯାଇଛି । ମନାଲିରେ ତାପପାତ୍ରା ବିଯୁକ୍ତ ୫.୪ ଡିଗ୍ରି ଥିବା ବେଳେ ଡାଲହାଉସିରେ ୦.୭ ଡିଗ୍ରି ରେକର୍ଡ କରାଯାଇଛି । ଲକ୍ଷ୍ନୌରେ ତାପାମତ୍ରା ୩ ଡିଗ୍ରି ସେଲ୍‌୍‌ସିୟସ ରହିଛି। ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପାମାତ୍ରା ୨.୩ରୁ ୭ ଡିଗ୍ରି ରହୁଛି ।

Advertisment

ଉତ୍ତରାଖଣ୍ଡ, ହିମାଚଳରେ ପ୍ରବଳ ବରଫପାତ ଜାରି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଏବଂ ପରିବହନ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହୋଇଛି। ବରଫ ଗଦା ହଟାଇ ରାସ୍ତା ସଫା କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ହାଡ଼ଥରା ଶୀତ ଓ କୁହୁଡ଼ି ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ-କଶ୍ମୀରର ୫୦ରୁ ଅଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରିଠାରୁ ତଳକୁୁ ଖସିଯାଇଛି। ଶ୍ରୀନଗରରେ ତାପମାତ୍ରା -୪.୮ ଡିଗ୍ରିକୁ ଖସିବା ସହ ଅଣାୟତ୍ତ ସ୍ଥିତି ଉପୁଜିଛି। ଉତ୍ତରାଞ୍ଚଳରେ ପ୍ରବଳ ଶୀତଲହରୀ ଫଳରେ ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଲୋକଙ୍କ ପାଇଁ ଜରୁରୀ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପହଞ୍ଚି ପାରୁନାହିଁ। ହିମାଚଳ ପ୍ରଦେଶରେ କୁଲ୍ଲ ଜିଲ୍ଲା ରାଜ୍ୟର ସର୍ବାଧିକ ଶୀତଳ ଅଂଚଳ ଭାବେ ପରିଗଣିତ ହୋଇଥିବାରୁ ଶୀତ ଲହରୀରେ ସେଠାରେ ୭ ଜଣଙ୍କ ମୃତ୍ୟୁ ଘଟିଛି ।

ରାଜଧାନୀ ଦିଲ୍ଲୀ ଆଜି ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ହୋଇଯାଇଛି। ସର୍ବନିମ୍ନ ତାପମାତ୍ରା ଏଠାରେ ୪.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ତାପମାତ୍ରା କମିବା ସାଙ୍ଗକୁ ପ୍ରଦୂଷଣ ମାତ୍ରାରେ ମଧ୍ୟ କୌଣସି ପରିବର୍ତ୍ତନ ହେଉନାହିଁ। ପ୍ରଦୂଷଣର ମାତ୍ରା ୨.୫ ପିଏମ୍‌ ରହିବା ସହ ଏହି ବାୟୁ ଅତ୍ୟନ୍ତ ଦୂଷିତ ବୋଲି ପରିବେଶବିତ୍‌ କହିଛନ୍ତି। କୁହୁଡି ଯୋଗୁଁ ଆଜି ୫୦ଟି ଟ୍ରେନ୍‌ ବିଳମ୍ବରେ ଚାଲୁଥିଲା ବେଳେ ୩୯ଟି ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ସେହିଭଳି ୧୮ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ବିମାନ ଚଳାଚଳ ମଧ୍ୟ କୁହୁଡି କାରଣରୁ ପ୍ରଭାବିତ ହୋଇଛି। ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ବେଳେ ନ୍ୟୁୟର୍କ ଯାଉଥିବା ଦୁଇଟି ଏୟାରଇଣ୍ଡିଆ ବିମାନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି।