କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ 'ପ୍ରଚଣ୍ଡ' ପାଇଁ ଶୁକ୍ରବାର ଏକ ଖରାପ ଖବର ଆଣିଛି। ତାଙ୍କ ସରକାର ସଂସଦରେ ଶକ୍ତି ପରୀକ୍ଷାରେ ହାରି ଯାଇଛନ୍ତି। ବର୍ତ୍ତମାନ ତାଙ୍କର ୧୯ ମାସର ସରକାରର ପତନ ଘଟିଛି। ଏବେ ତାଙ୍କୁ ଇସ୍ତଫା ଦେବାକୁ ପଡିବ।

Advertisment

ବାସ୍ତବରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ସିପିଏନ୍-ୟୁଏମ୍ଏଲ୍ ମିଳିତ ମଞ୍ଚ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ପ୍ରଚଣ୍ଡ ଏକ ବିଶ୍ବାସ ଭୋଟ୍‌ର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲେ। କମ୍ୟୁନିଷ୍ଟ ପାର୍ଟି ନେତା କେ.ପି ଓଲି ନୂତନ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି।

୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ଦେଢ଼ ବର୍ଷ ମଧ୍ୟରେ ପ୍ରଚଣ୍ଡଙ୍କ ପାଇଁ ଏହା ହେଉଛି ପଞ୍ଚମ ବିଶ୍ବାସ ଭୋଟ୍। ବିଶ୍ବାସ ଭୋଟ୍ ପାଇବା ପାଇଁ ତାଙ୍କୁ ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ ଅତି କମରେ ୧୩୮ଭୋଟ୍‌ର ଆବଶ୍ୟକତା ଥିଲା। କିନ୍ତୁ ଏହା ହୋଇପାରିଲା ନାହିଁ।

ବର୍ତ୍ତମାନ ନେପାଳ କଂଗ୍ରେସର ୮୯ ଟି ସିଟ୍ ଥିବାବେଳେ ସିପିଏନ୍-ୟୁଏମ୍ଏଲ୍ ୭୮ ଟି ସିଟ୍ ରହିଛି। ସେମାନଙ୍କର ମିଳିତ ଶକ୍ତି ହେଉଛି ୧୬୭ ଯାହା ଲୋୟର ହାଉସରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୩୮ ସିଟ୍ ଠାରୁ ବହୁତ ଅଧିକ। ନେପାଳର ପ୍ରଚଣ୍ଡଙ୍କର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ କେନ୍ଦ୍ର) ୩୨ଟି ଆସନ ପାଇଛି।

ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଓବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ କରିସାରିଛନ୍ତି। ଜାତୀୟ ସ୍ୱାର୍ଥର ସୁରକ୍ଷା ତଥା ନେପାଳକୁ ସମୃଦ୍ଧ ତଥା ନେପାଳବାସୀଙ୍କୁ ଖୁସି କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାର ଆବଶ୍ୟକତା ଉପରେ ଉଭୟ ପକ୍ଷ ସହମତ ହୋଇଥିବା କହିଛନ୍ତି।