ଅନାଥ  ଶିଶୁଙ୍କ  ଅଭିଭାବକ ହେବେ ଜିଲ୍ଲାପାଳ, ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ କଷ୍ଟରେ ଥିବା ଅସୁରକ୍ଷିତ, ଅନାଥ ଏବଂ ଅସହାୟ ଶିଶୁମାନଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ଶିକ୍ଷାକୁ ସୁନିଶ୍ଚିତ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ରାଜ୍ୟକୁ ମାର୍ଗର୍ଶିକା ଜାରି କରାଯାଇଛି। କୋଭିଡ୍‌-୧୯ ମହାମାରୀରେ ନିଜର ମାଆ-ବାପାଙ୍କୁ ହରାଇଥିବା ପିଲାମାନଙ୍କର ଏଣିକି ଅଭିଭାବକ ହେବେ ଜିଲ୍ଲାର ଜିଲ୍ଲାପାଳ। ଜିଲ୍ଲାପାଳ ଶିଶୁମାନଙ୍କର ପୁନର୍ବାସ ଉଚିତ ଢଙ୍ଗରେ ତଥା ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ) ଆକ୍ଟ-୨୦୧୫ ଅନୁସାରେ କରିବେ। ଏଥିସହିତ ଜିଲ୍ଲାସ୍ତରରେ ବହୁବିଭାଗୀୟ ଟାସ୍କଫୋର୍ସ ଗଠନ କରିବେ ତଥା ଏସବୁ ପିଲାଙ୍କ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କାର୍ଯ୍ୟ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ୍‌ଲାଇନରେ ରାଜ୍ୟ ସରକାର, ହସ୍ପିଟାଲ, ପଞ୍ଚୟତିରାଜ ସଂସ୍ଥା ଓ ପୌରପାଳିକାଗୁଡ଼ିକ ପାଇଁ ଦାୟିତ୍ବ ଧାର୍ଯ୍ୟ କରାଯାଇଛି।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସଚିବ ରାମମୋହନ ମିଶ୍ରଙ୍କ ଦ୍ବାରା ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଶାସକମାନଙ୍କୁ ଲେଖାଯାଇଥିବା ପତ୍ରରେ କରୋନା ମହାମାରୀରେ ପ୍ରଭାବିତ ହୋଇ ଫସି ରହିଥିବା ଶିଶୁମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖିବା ପାଇଁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଛି, ବିପଦରେ ଥିବା ଶିଶୁମାନଙ୍କୁ ଚିହ୍ନଟ ପାଇଁ ସର୍ଭେ କରିବାକୁ ପଡ଼ିବ ତ ସେମାନଙ୍କ ନିକଟରେ ପହଂଚିବାକୁ ପଡିବ। ଡାଟାବେସ୍‌ ପ୍ରସ୍ତୁତ କରିବାକୁ ପଡିବ, ଯେଉଁଥିରେ ସେମାନଙ୍କର ସଂପୂର୍ଣ୍ଣ ପ୍ରୋଫାଇଲ ରହିବ ତଥା ପ୍ରତ୍ୟେକ ପିଲ‌ାଙ୍କ ଅଲଗା ଅଲଗା ଆବଶ୍ୟକତାର ବିବରଣୀ ଦେବାକୁ ପଡ଼ିବ। ଏଥିସହିତ ଚାଇଲ୍ଡ ଟ୍ରେକିଂ ପୋର୍ଟାଲରେ ଆବଶ୍ୟକ ଡାଟା ଉପଲବ୍ଧ କରାଇବାକୁ ପଡ଼ିବ। ପିଲାମାନଙ୍କ ଡାଟାବେସ୍‌ର ଗୋପନୀୟତା ବଜାୟ ରଖିବା ପାଇଁ ମଧ୍ୟ ସତର୍କ କରିଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଚାଇଲ୍ଡ ୱେଲ‌୍‌ଫେୟାର କମିଟିର ଯୋଗାଯୋଗ ନମ୍ବର ଏବଂ ଚାଇଲ୍ଡ ହେଲ୍ପଲାଇନ ନମ୍ବର (୧୦୯୮)କୁ ହସ୍ପିଟାଲର ରିସେପ୍ସନ ଓ ଅନ୍ୟ ପ୍ରମୁଖ ସ୍ଥଳରେ ବ୍ୟାପକ ରୂପେ ପ୍ରଚାର କରାଯାଉ। ପୋଲିସ ଶିଶୁମାନଙ୍କ ବିରୋଧରେ ଅପରାଧ, ବାଲ୍ୟ ବିବାହ, ବାଲ୍ୟ ଶ୍ରମିକ, ବେଆଇନ ଆଡପ୍ସନ ଉପରେ ନଜର ରଖିବା ପାଇଁ କୁହାଯାଇଛି। ପଂଚାୟତିରାଜ ସଂସ୍ଥା ତଥା ପୌରପାଳିକା ଫସିରହିଥିବା ଶିଶୁମାନଙ୍କ ତଥ୍ୟ ଏକତ୍ରିତ କରି ଜିଲ୍ଲା ପ୍ରଶାସନକୁ ଉପଲବ୍ଧ କରାଇବେ।

ମାଆ-ବାପା ସଂକ୍ରମିତ ହେବାର ସ୍ଥିତିରେ ତଥା ସଂପର୍କୀୟଙ୍କ ଦ୍ବାରା ପିଲାମାନଙ୍କୁ ରଖା ନ ଯିବା ସ୍ଥିତିରେ ସେମାନଙ୍କୁ ବାଳଗୃହ କିମ୍ବା ସଂବନ୍ଧିତ ସଂସ୍ଥାନରେ ଆଶ୍ରୟ ଦିଆଯାଇପାରିବ। ଆଶ୍ରୟସ୍ଥଳରେ ଏହି ପିଲାମାନଙ୍କ ପାଇଁ ଅଲଗା ଜାଗ‌ା ନିର୍ଦ୍ଧାରଣ କରିବାକୁ ପଡିବ। ଶିଶୁମାନଙ୍କର ମନୋବୈଜ୍ଞାନିକ ସହାୟତା ପାଇଁ ସାଇକିୟାଟ୍ରିଷ୍ଟଙ୍କ ସହିତ ସେମାନଙ୍କର କଥାବାର୍ତ୍ତା କରାଇବାକୁ ପଡ଼ିବ। ଅଭିଭାବକରୂପେ କାର୍ଯ୍ୟ କରୁଥିବା ଜିଲ୍ଲାପାଳ ଟାସ୍କଫୋର୍ସର ତଦାରଖ କରିବେ। ସେ ସିଭିଲ ସୋସ‌ାଇଟି ସଂଗଠନର ସହାୟତା ମଧ୍ୟ ନେଇପାରିବେ। ସଂବନ୍ଧିତ ଜିଲ୍ଲାର ଜିଲ୍ଲାପାଳ ପୈତୃକ ସମ୍ପତ୍ତିରେ ପିଲାମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବେ।

ଉଲ୍ଲେଖଯୋଗ୍ୟ, ଗତ ମାସ ୨୯ ତାରିଖରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀ କାରଣରୁ ଅସହାୟ ଓ ଅନାଥ ପିଲାମାନଙ୍କ ପାଇଁ ପିଏମ୍‌ କେୟାର୍‌ ଫର୍‌ ଚିଲଡ୍ରେନ୍ସ ଯୋଜନା ଘୋଷଣା କରିଥିଲେ। ଅନାଥ ଶିଶୁମାନଙ୍କ ମାମଲ‌ାର ଶୁଣାଣି ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ଜାରି ରହିଛି ଏବଂ ଏଥିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷଧର ରହିଛି।

ସମ୍ବନ୍ଧିତ ଖବର