ହିଜାବକୁ ନେଇ ବଡ଼ ଖବର: ଆସନ୍ତା ୧୬ ତାରିଖରୁ କର୍ଣ୍ଣାଟକରେ ଖୋଲିବ ସମସ୍ତ କଲେଜ

ବାଙ୍ଗାଲୋର: ହିଜାବ ପ୍ରସଙ୍ଗରେ ବିରୋଧ ଯୋଗୁଁ ବନ୍ଦ ହୋଇଯାଇଥିବା ସମସ୍ତ କଲେଜ ଆସନ୍ତା ଫେବୃଆରୀ ୧୬ରୁ ଖୋଲିବ ବୋଲି କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ବିସି ନାଗେଶ ଘୋଷଣା କରିଛନ୍ତି ଯେ ଫେବୃଆରୀ ୧୬ରୁ ସମସ୍ତ ପ୍ରି-ୟୁନିଭରସିଟି (ପିୟୁ) କଲେଜ ଏବଂ ଡିଗ୍ରୀ କଲେଜ ଖୋଲିବ। ଏହାପୂର୍ବରୁ, ହାଇକୋର୍ଟ ପ୍ରସ୍ତାବ ଦେବା ପରେ ଆଜିଠାରୁ ହାଇସ୍କୁଲ ଖୋଲିଥିଲା | ତେବେ ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାରର ଧାର୍ମିକ ବସ୍ତ୍ର ପିନ୍ଧିବାକୁ ଅନୁମତି ନ ଦେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ |

ତେଣୁ ଆଜିଠାରୁ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ପୁଣି ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସୂଚନା ଥାଉ କି ଆଜି ମଧ୍ୟ ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ମଙ୍ଗଳବାର ପର୍ଯ୍ୟନ୍ତ କୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଗତ ସପ୍ତାହରେ ହାଇକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ରାୟରେ କହିଥିଲେ ଯେ, ଶିକ୍ଷାନୁଷ୍ଠାନ ସବୁ ଖୋଲାଯାଇ ପାରେ କିନ୍ତୁ, କୌଣସି ଧାର୍ମିକ ବସ୍ତ୍ର ପରିଧାନ କରି ଆସିବାକୁ ଅନୁମତି ମିଳିବ ନାହିଁ।

ଆଜିର ନିଷ୍ପତ୍ତି ପୂର୍ବରୁ ବେଙ୍ଗାଲୁରୁର ସମସ୍ତ ପି.ୟୁ. କଲେଜ, ଡିଗ୍ରି କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନମାନଙ୍କ ଚାରିପଟେ ୧୪୪ ଧାରା ଜାରି କରାଯାଇଥିଲା ଓ ଏହି ନିଷେଧାଦେଶ ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା ।

ସମ୍ବନ୍ଧିତ ଖବର