ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ ଓ କେନ୍ଦ୍ର ସରକାର ପୁଣି ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ଏବେ ଏହି ବିବାଦରେ ସମଲିଙ୍ଗୀ ଆଇନଜୀବୀ ସୌରଭ କୃପାଳଙ୍କ ପୁନଃ ନିଯୁକ୍ତି ସୁପାରିସ ଯୋଡ଼ି ହୋଇଯାଇଛି। ଗୋଟିଏ ପଟେ କୃପାଳଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ନିଯୁକ୍ତି ଦେବା ନିଷ୍ପତ୍ତିରେ ସୁପ୍ରିମ୍‌କୋର୍ଟ କଲେଜିୟମ କାଏମ ରହିଥିବା ବେଳେ ଅନ୍ୟ ପଟେ କେନ୍ଦ୍ର ସରକାର ଏହି ନିଷ୍ପତ୍ତିକୁ ଗ୍ରହଣ ନକରି ପୂର୍ବରୁ ଏହି ସୁପାରିସକୁ ନାକଚ କରିସାରିଛନ୍ତି। ଏବେ ପୁଣି କଲେଜିୟମ କୃପାଳଙ୍କ ନାମ ସୁପାରିସ କରିଥବାରୁ ଏହାକୁ ନେଇ କେନ୍ଦ୍ରର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଦୁଇ ବର୍ଷ ତଳେ ସରକାର କୃପାଳଙ୍କ ନାମକୁ ପ୍ରତ୍ୟାଖ୍ୟାନ କରିଥିଲେ।

Advertisment

ସୁପ୍ରିମ୍‌କୋର୍ଟ ଏହି ବିବାଦରେ ନିଜ ଆଡ଼ୁ ମତ ରଖି କହିଛନ୍ତି ଯେ କାହାର ବ୍ୟକ୍ତିଗତ ଯୌନ ସ୍ଥିତିକୁ ଆଧାର କରି ତାଙ୍କର ପଦୋନ୍ନତି ସ୍ଥିର କରାଯାଇପାରିବ ନାହିଁ। କୃପାଳଙ୍କ ଯୋଗ୍ୟତା ଏବଂ ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ଭାବେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ଆଧାରରେ ତାଙ୍କ ନାମ ସୁପାରିସ କରାଯାଇଥିବା କଲେଜିୟମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ବିଚାରପତି ନିଯୁକ୍ତି ନେଇ କଲେଜିୟମର ନିଷ୍ପତ୍ତି ପ୍ରକ୍ରିୟାକୁ କେନ୍ଦ୍ର ସରକାର ଏବେ ଦୃଢ଼ ବିରୋଧ କରୁଛନ୍ତି। ସରକାରଙ୍କ ମତାମତକୁ ଗୁରୁତ୍ବ ଦିଆଯାଉନଥିବା ଏବଂ ଏକ ତ୍ରୁଟିପୂର୍ଣ୍ଣ ସୁପାରିସ ପ୍ରକ୍ରିୟା ଯୋଗୁଁ ନ୍ୟାୟପାଳିକାର କାର୍ଯ୍ୟ ମନ୍ଥର ହୋଇଯାଇଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ସୁପ୍ରିମ୍‌କୋର୍ଟ ଏବଂ ହାଇକୋର୍ଟ ନିଯୁକ୍ତି ମାମଲାରେ କଲେଜିୟମ ସରକାରଙ୍କ ମତ ଶୁଣିବା ଯୁକ୍ତିଯୁକ୍ତ ହେବ ବୋଲି ସେ କହିଛନ୍ତି।