ନୂଆଦିଲ୍ଲୀ : ସୂଚନା ଅଧିକାର ଆଇନ (ଆର୍ଟିଆଇ) ଅଧୀନରେ ୨୦୧୮ ମସିହାର ଏକ କଲେଜିୟମ ବୈଠକର ସମସ୍ତ ତଥ୍ୟ ଏବଂ ବିବରଣୀ ଦାବି କରିଥିବା ଜଣେ ଆବେଦନକାରୀଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କଲେଜିୟମର ପ୍ରସ୍ତାବ ଏବଂ ଆଲୋଚନା ଆର୍ଟିଆଇ ପରିସର ଅନ୍ତର୍ଭୁକ୍ତ ନୁହେଁ। କଲେଜିୟମର ନିଷ୍ପତ୍ତି ବିଭିନ୍ନ ପ୍ରସ୍ତାବ ମାଧ୍ୟମରେ ଆସିଥାଏ। କୌଣସି ପ୍ରସ୍ତାବରେ କଲେଜିୟମର ସବୁ ସଦସ୍ୟ ସ୍ବାକ୍ଷର ନକରିବା ପର୍ଯ୍ୟନ୍ତ ଏହା ଚୂଡ଼ାନ୍ତ ନିଷ୍ପତ୍ତିରେ ପରିଣତ ହୁଏନାହିଁ। ତେବେ ଆଲୋଚନା ପ୍ରକ୍ରିୟାରେ ଯେଉଁ ନିଷ୍ପତ୍ତି ହୋଇଥାଏ ତାହା ପରୀକ୍ଷାମୁଳକ ନିଷ୍ପତ୍ତି ବୋଲି ଜଷ୍ଟିସ ଏମଆର ଶାହ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି। କୋର୍ଟ କହିଛନ୍ତି, କଲେଜିୟମର ଆଲୋଚନାକୁ ସାର୍ବଜନୀନ କରିହେବନାହିଁ, ତେଣୁ ଏହା ଆଇଟିଆଇ ଆଇନର ପରିସର ଅନ୍ତର୍ଭୁକ୍ତ ନୁହେଁ। ଆର୍ଟିଆଇ କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ବାଜଙ୍କ ଆବେଦନକୁ କୋର୍ଟ ଖାରଜ କରି କୋର୍ଟ କହିଛନ୍ତି, କେବଳ ଚୂଡ଼ାନ୍ତ ନିଷ୍ପତ୍ତି ହିଁ ୱେବସାଇଟ୍ରେ ଅପ୍ଲୋଡ୍ ହୋଇପାରିବ।
ଭରଦ୍ବାଜ ତାଙ୍କ ଆବେଦନରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକୁରଙ୍କ ଟିପ୍ପଣୀ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି। ମଦନ ବି ଲୋକୁର କହିଥିଲେ, ଡିସେମ୍ବର ୧୨,୨୦୧୮ ବୈଠକରେ ନିଷ୍ପତ୍ତି ସତ୍ତ୍ବେ କଲେଜିୟମ ପ୍ରସ୍ତାବ ସୁପ୍ରିମକୋର୍ଟ ୱେବସାଇଟ୍ରେ ଅପଲୋଡ୍ ହେଉନାହିଁ। ଉଲ୍ଲେଖଯୋଗ୍ୟ, ଜଷ୍ଟିସ ଲୋକୁର ଡିସେମ୍ବର ୩୦, ୨୦୧୮ରେ ଅବସର ନେଇଥିଲେ। ପୂର୍ବରୁ ସେ କଲେଜିୟମ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ଦୁଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମକୁ ସ୍ବୀକୃତି ଦେଇଥିଲେ। ଜଷ୍ଟିସ ଲୋକୁର କହିଥିଲେ, ଡିସେମ୍ବର ୧୨, ୨୦୧୮ରେ କଲେଜିୟମ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା କାର୍ଯ୍ୟକାରୀ ହୋଇନାହିଁ। ଉକ୍ତ କଲେଜିୟମ ବୈଠକ ସଂକ୍ରାନ୍ତରେ ଆବେଦନକାରୀ ସମସ୍ତ ତଥ୍ୟ ମାଗିଥିଲେ। ତେବେ ଖଣ୍ଡପୀଠ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କଲେଜିୟମ ବ୍ୟବସ୍ଥା ସଂକ୍ରାନ୍ତରେ ଦେଉଥିବା ଟିପ୍ପଣୀକୁ ଗ୍ରହଣ କରିନାହାନ୍ତି। ଖଣ୍ଡପୀଠ କହିଛନ୍ତି, ପୂର୍ବରୁ କଲେଜିୟମର ଅଂଶବିଶେଷ ଥିବା ସଦସ୍ୟମାନେ କଲେଜିୟମ ନିଷ୍ପତ୍ତି ସଂକ୍ରାନ୍ତରେ ଟିପ୍ପଣୀ ଦେବା ଏକ ଫ୍ୟାସନ୍ ହୋଇଗଲାଣି।