ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବୁଧବାର କେନ୍ଦ୍ର ସରକାରଙ୍କୁ ଦୁଇଟି ନାମ ସୁପାରିସ କରିଛନ୍ତି କଲେଜିୟମ । ଏହି ବିଚାରପତିମାନେ ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଉଜ୍ଜ୍ୱଲ ଭୂୟାଁ ଓ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ଭି ଭାଟି। ବର୍ତ୍ତମାନ ସୁପ୍ରିମ୍ କୋର୍ଟରେ ମୋଟ ୩୧ ଜଣ ବିଚାରପତି ଅଛନ୍ତି ଓ ୩ଟି ବିଚାରପତି ପଦବୀ ଖାଲି ପଡିଛି ।
କେନ୍ଦ୍ରରୁ ଉଜ୍ଜ୍ୱଲ ଭୂୟାଁ ଓ ଏସଭି ଭାଟିଙ୍କ ନାମ ସୁପାରିସ କରିଥିବା କଲେଜିୟମରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଛନ୍ତି। ଗତ ମାସରେ ସୁପ୍ରିମକୋର୍ଟର ୩ ଜଣ ବିଚାରପତି ଅବସର ନେଇଥିଲେ।
ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ୧୯୬୪ ମସିହା ଅଗଷ୍ଟ ୨ ତାରିଖରେ ଗୌହାଟୀରେ ଜନ୍ମଗ୍ରହଣ କରିଥିଲେ । ସେ ଗୌହାଟୀର ଡନ୍ ବସ୍କୋ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରୀମାଲ କଲେଜରୁ ସ୍ନାତକ ଏବଂ ଗୌହାଟୀର ସରକାରୀ ଆଇନ ମହାବିଦ୍ୟାଳୟରୁ ଏଲଏଲବି କରିଥିଲେ । ଏହାପରେ ସେ ଗୁଆହାଟୀ ବିଶ୍ୱବିଦ୍ୟାଳୟରୁ ଏଲଏଲଏମ ଡିଗ୍ରୀ ହାସଲ କରିଥିଲେ ।