ନୂଆଦିଲ୍ଲୀ: ବିଚାରପତିମାନଙ୍କ ନିଯୁକ୍ତି ଲାଗି ରହିଥିବା କଲେଜିୟମ୍ ବ୍ୟବସ୍ଥା ‘ଅସ୍ବଚ୍ଛ ଓ ଅନୁତ୍ତରଦାୟୀ’ ବୋଲି ଆଇନ ମନ୍ତ୍ରୀ କିରଣ ରିଜିଜୁ ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଚଳିତ ସପ୍ତାହରେ ଅବସର ନେଇଥିବା ପ୍ରଧାନବିଚାରପତି ୟୁୟୁ ଲଳିତ କହିଛନ୍ତି ଯେ ଏହି ବ୍ୟବସ୍ଥା ‘ସମ୍ପୂର୍ଣ୍ଣ ଠିକ୍ ଓ ସନ୍ତୁଳିତ’ ଏବଂ ଆଇନ ମନ୍ତ୍ରୀ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ। ଏହା ଏକ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କ ମତ ବିଚାରକୁ ନିଆଯାଏ। ଅବସର ପରେ ଏକ ସାକ୍ଷାତ୍କାରରେ ଏପରି ମତ ରଖିଛନ୍ତି ଜଷ୍ଟିସ୍ ଲଳିତ।
ପୂର୍ବତନ ପ୍ରଧାନବିଚାରପତି କହିଲେ ଯେ, ବିଭିନ୍ନ ସ୍ତରରେ ସମୀକ୍ଷା କରାଯିବା ପରେ କାହାକୁ ବିଚାରପତି ଭାବେ ନିଯୁକ୍ତି ଦିଆଯିବ ତାହା ଉପରେ କଲେଜିୟମ୍ ନିଷ୍ପତ୍ତି ନେଇଥାଏ। ତା’ପରେ ସରକାରଙ୍କର ବି ମତାମତ ନିଆଯାଏ। ତେଣୁ ଏ ବ୍ୟବସ୍ଥାରେ କୌଣସି ତ୍ରୁଟି ନାହିଁ। ସୁପ୍ରିମ୍କୋର୍ଟରେ ୩୪ ଜଣଙ୍କ ଜାଗାରେ ବର୍ତ୍ତମାନ ୨୭ ଜଣ ବିଚାରପତି ଅଛନ୍ତି ଓ ଅବଶିଷ୍ଟ ପଦ ଖାଲି ରହିଛି। ତେଣୁ ନୂତନ ନିଯୁକ୍ତି ପାଇଁ କଲେଜିୟମ୍ କେତେଜଣଙ୍କ ନାମ ସୁପାରିସ କରିଥିଲେ ମଧ୍ୟ କେନ୍ଦ୍ର ସରକାର ତାହାକୁ ପକାଇ ରଖିଥିବାରୁ ସୁପ୍ରିମ୍କୋର୍ଟ ଅସନ୍ତୋଷ ପ୍ରକାଶ କରିବାର ଦୁଇଦିନ ପରେ ମନ୍ତ୍ରୀ ରିଜିଜୁ ଏପରି ମନ୍ତବ୍ୟ ଦେଇଥିଲେ। ଏହି ସାକ୍ଷାତକାରରେ ପୂର୍ବତନ ପ୍ରଧାନବିଚାରପତି କହିଛନ୍ତି ଯେ ଆଇନଜୀବୀ ଭାବେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଲଢ଼ିଛନ୍ତି। ସେ ସୋହରାବୁଦ୍ଧିନ ଶେଖ୍ ଏନ୍କାଉଣ୍ଟର ମାମଲାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ମଧ୍ୟ ମାମଲା ଲଢ଼ୁଥିଲେ ଏବଂ ଏହାର କାରଣ ‘ଅପରିହାର୍ଯ୍ୟ’ ଥିଲା। ଏହି ମାମଲାରେ ସେ ମୁଖ୍ୟ ଓକିଲ ନଥିଲେ ଏବଂ ମୁଖ୍ୟ ଓକିଲ ରାମ ଜେଠାମାଲାନି ଥିଲେ ବୋଲି ଜଷ୍ଟିସ ଲଳିତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/UU-Lalit.jpg)