ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏମ.ଯୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କଲେଜିୟମ ପୁଣିଥରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିଅମ୍ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ହୋଇଛି। ଜଷ୍ଟିସ ଯୋଶେଫଙ୍କ ନିଯୁକ୍ତି ଲାଗି ପୂର୍ବରୁ କଲେଜିଅମ୍ ସୁପାରିସ କରିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ କେନ୍ଦ୍ର ସରକାର ଏହି ସୁପାରିସକୁ ଫେରାଇ ଦେଇଥିଲେ। କଲେଜିଅମ ଜଷ୍ଟିସ ଯୋଶେଫଙ୍କ ନାମ ପୁଣି ସୁପାରିସ କଲେ ତାଙ୍କୁ ନିଯୁକ୍ତି ଦେବାଲାଗି ସରକାର ବାଧ୍ୟ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଉପରେ ବିଚାର ଆଲୋଚନା କରିବା ଲାଗି ଆଜି କଲେଜିଅମ୍ ବୈଠକ ବସିଥିଲା। ଏଥିରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସମେତ କଲେଜିଅମର ଅନ୍ୟ ସଭ୍ୟ ଜଷ୍ଟିସ୍ ଜେ.ଚେଲମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ.ବି.ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ଉପସ୍ଥିତ ଥିଲେ। ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ବୈଠକରେ ପୁଣିଥରେ ଜଷ୍ଟିସ ଯୋଶେଫଙ୍କ ନାମ ସୁପାରିସ କରିବାକୁ ସ୍ଥିର କରାଯାଇଥିଲା। ତେବେ ଏବେ ତାଙ୍କ ନାମର ସୁପାରିସ ପଠାଯିବ ନାହିଁ। ଏଥର ସୁପାରିସରେ ଜଷ୍ଟିସ୍ ଯୋଶେଫଙ୍କ ସହିତ ପଦୋନ୍ନତି ପାଇଁ ଅନ୍ୟ ବିଚାରପତିଙ୍କ ନାମ ମଧ୍ୟ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ଜଣାପଡ଼ିଛି। ଏଥିଲାଗି କେତେକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମ ଉପରେ ବିଚାର କରାଯାଇଥିଲା। ଆସନ୍ତା ୧୬ ତାରିଖରେ କଲେଜିୟମର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଅନ୍ୟ କେଉଁ ସବୁ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିସ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ଜଷ୍ଟିସ ଯୋଶେଫ୍ଙ୍କ ନାମ ସୁପାରିସ ପାଇଁ ପଠାଯିବ ନାହିଁ ଏବଂ ଏକାଥରକେ ସମସ୍ତଙ୍କ ନାମ ପଠାଯିବ। ଆଜି କଲିକତା, ରାଜସ୍ଥ୍ାନ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ଉପରେ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ, ଗତ ଜାନୁଆରି ୧୦ ତାରିଖରେ ଜଷ୍ଟିସ୍ ଯୋଶେଫଙ୍କ ପଦୋନ୍ନତି ପାଇଁ କଲେଜିୟମ କରିଥିବା ସୁପାରିସକୁ ଏପ୍ରିଲ ୨୬ ତାରିଖରେ କେନ୍ଦ୍ର ସରକାର ଖାରଜ କରିଦେଇଥିଲେ। ଯାହାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଉପୁଜିଥିଲା। କେନ୍ଦ୍ର ଓ ନ୍ୟାୟପାଳିକା ମୁହାଁମୁହିଁ ହୋଇଥିବାରୁ ଆଜି ହୋଇଥିବା କଲେଜିୟମର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତଙ୍କର ନଜର ରହିଥିଲା। କଲେଜିଅମ ଜଷ୍ଟିସ ଯୋଶେଫଙ୍କ ନାମ ପୁଣି ସୁପାରିସ କଲେ ତାଙ୍କୁ ନିଯୁକ୍ତି ଦେବାଲାଗି ସରକାର ବାଧ୍ୟ ହେବେ। ସୁପ୍ରିମ କୋର୍ଟରେ ୩୧ଟି ବିଚାରପତି ପଦବି ଥିବା ବେଳେ ଏବେ ୨୪ ଜଣ ବିଚାରପତି ଅଛନ୍ତି। ପୁଣି ଚଳିତ ବର୍ଷ ୪ ଜଣ ବିଚାରପତି ଅବସର ନେବେ।
ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଜେ.ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ.ବି.ଲୋକୁର ଓ କୁରିଏନ ଯୋଶୋଫଙ୍କୁ ନେଇ ଗଠିତ କଲେଜିଅମ୍ ଏହି ପ୍ରସଙ୍ଗରେ ଗତ ୨ ତାରିଖରେ ମଧ୍ୟ ବୈଠକ କରିଥିଲେ। ତେବେ ଉକ୍ତ ବୈଠକରେ ଜଷ୍ଟିସ୍ ଯୋଶେଫଙ୍କ ପଦୋନ୍ନତି ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିନଥିଲା। ଉଲ୍ଲେଖଯୋଗ୍ୟ, ବରିଷ୍ଠତା ଭିତ୍ତିରେ ଜଷ୍ଟିସ୍ ଯୋଶେଫଙ୍କ ନାମକୁ ଗ୍ରହଣ କରାଯାଇପାରିବ ନାହିଁ ଦର୍ଶାଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ସୁପାରିସକୁ ଖାରଜ କରିଦେଇଥିଲେ। ଏହାପରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜେ.ଚେଲମେଶ୍ୱର ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କୁ ଚିଠି ଲେଖି କଲେଜିୟମ ବୈଠକ ଡାକି ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ବୁଧବାର ଜଷ୍ଟିସ୍ ଗୋଗଇ,ଏମ.ବି.ଲୋକୁର ଓ କୁରିଏନ ଯୋଶେଫ ପ୍ରଧାନ ବିଚାରତିଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।