ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରୁ ଅନେକ ଲୋକ ରୋଜଗାର ପାଇଁ ସହରକୁ ଆସୁଥିବା ଦେଖାଯାଏ। ପାହାଡ଼ିଆ ଅଞ୍ଚଳରେ ରହିବା କଷ୍ଟକର ହେଉଥିବାରୁ ଅନେକ ଭଲ ରୋଜଗାର, ଶିକ୍ଷା କିମ୍ବା ଉତ୍ତମ ଜୀବନଯାପନ ସୁବିଧା ଖୋଜିବା ପାଇଁ ଗାଁ ଛାଡି ସହରକୁ ଚାଲିଯାଆନ୍ତି। କିନ୍ତୁ ଏହାର ଠିକ୍ ଓଲଟା କରିଛନ୍ତି ଜଣେ ଆଇପିଏସ୍ ଅଫିସର ଓ ଜଣେ କର୍ଣ୍ଣେଲ।
ଦେଶର ବିଭିନ୍ନ କୋଣରେ କାମ କରିବା ପରେ ସହରରେ ରହିବା ପରିବର୍ତ୍ତେ ଦୁହେଁ ନିଜ ଗାଁକୁ ଫେରିଛନ୍ତି। ଦେଶର ବଡ଼ ବଡ଼ ଘଟଣାର ସମାଧାନ କରିବା ପରେ ଏବେ ଦୁହେଁ ଗାଁର ସମସ୍ୟା ବୁଝିବେ। ଏଠାରେ ଆମେ ଅବସରପ୍ରାପ୍ତ କର୍ଣ୍ଣେଲ ଯଶପାଲ ନେଗି ଓ ଅବସରପ୍ରାପ୍ତ ଆଇଜି (ଆଇପିଏସ୍) ବିମଳା ଗୁଞ୍ଜ୍ୟାଲ୍ଙ୍କ କଥା କହୁଛୁ।
କର୍ଣ୍ଣେଲ ନେଗି ଏବଂ ଆଇପିଏସ୍ ବିମଳା ଗୁଞ୍ଜ୍ୟାଲ ଚାହିଁଥିଲେ, ବିଭିନ୍ନ ସରକାରୀ ପଦବୀରେ ବସିବା ସହ ରାଜନୈତିକ ଦଳରୁ ଟିକେଟ୍ ପାଇବା ପାଇଁ ଧାଡ଼ିରେ ଠିଆ ହୋଇପାରିଥାନ୍ତେ। ଯଦି ସେମାନେ ଚାହିଁଥାନ୍ତେ, ତେବେ ଉଭୟ ଅଧିକାରୀ ଡେରାଡୁନ, ଦିଲ୍ଲୀ କିମ୍ବା ଅନ୍ୟ କୌଣସି ମହାନଗରରେ ନିଜର ବଙ୍ଗଳା ତିଆରି କରି ଆରାମଦାୟକ ଜୀବନଯାପନ କରିପାରିଥାନ୍ତେ। କିନ୍ତୁ ସେମାନେ ନିଜ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଗାଁ ପାଇଁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଗାଁ ଲୋକେ ସେମାନଙ୍କୁ ନିର୍ବିରୋଧରେ ଗାଁ ମୁଖିଆ ଭାବେ ନିର୍ବାଚିତ କରିଛନ୍ତି।
ପୌଢ଼ି ଗଢ଼ୱାଲ ଜିଲ୍ଲାର ବିରଗଣରେ ରହୁଥିବା କର୍ଣ୍ଣେଲ ଯଶପାଲ ନେଗିଙ୍କ କହିବା ମୁତାବକ, ଦେଶର ବିଭିନ୍ନ କୋଣରେ ମୁଁ କାମ କରିଛି। କିନ୍ତୁ ଚାକିରି ଭିତରେ କେବେ ବି ମୁଁ ଗାଁକୁ ଭୁଲିନଥିଲି। କୌଣସି ପ୍ରସଙ୍ଗକୁ ନେଇ ଗାଁରେ ବୈଠକ ହେଲେ ମୁଁ ଏଠାକୁ ଆସି ଯୋଗ ଦିଏ। ଅବସର ନେବା ପରେ ମୁଁ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲି। ଏବେ ଏଠାକୁ ଆସି ମୁଁ ଚାଷ କରିବା ଆରମ୍ଭ କରିଛି। ମୋତେ ଏହା ବହୁତ ଖୁସି ଦେଉଛି। ଏବେ ଗାଁର ମୁଖିଆ ଭାବେ ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି।
ପିଥୋରାଗଡ଼ ଜିଲ୍ଲାର ଗୁଞ୍ଜି ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ଆଇଜି (ଆଇପିଏସ୍) ବିମଳା ଗୁଞ୍ଜ୍ୟାଲ୍ଙ୍କ କଥା କହିବାକୁ ଗଲେ ବିଭିନ୍ନ ରାଜ୍ୟରେ ମୁତୟନ ହୋଇ ନିଜ ଦାୟିତ୍ବ ତୁଲାଇବା ପରେ ସେ ଶେଷରେ ନିଜ ଗାଁକୁ ଫେରିଛନ୍ତି। ନିଜ ଜୀବନର ଶେଷ କିଛି ବର୍ଷକୁ ସେ ନିଜ ଗାଁରେ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ତାଙ୍କୁ ଗାଁର ମୁଖିଆ କରାଯାଇଥିବା ବେଳେ ଖୁସିର ସହିତ ସେ ନିଜର ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି।