ଆମେରିକାରେ କାର୍ଯ୍ୟସ୍ଥଳରେ ବର୍ଣ୍ଣ-ଲିଙ୍ଗଜନିତ ଭେଦଭାବ ବଢ଼ୁଛି

ନ୍ୟୁୟର୍କ: ବର୍ଣ୍ଣବୈଷମ୍ୟକୁ ପ୍ରତିବାଦ କରି ବି​ଶ୍ଵବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତି ଚାରିଟିରୁ ଗୋଟିଏ ପ୍ରଦେଶରେ କାର୍ଯ୍ୟସ୍ଥଳରେ ଜାତି, ବର୍ଣ୍ଣ ଓ ଲିଙ୍ଗଜନିତ ବାଛବିଚାର ଜାରି ରହିଥିବା କଥା ଗବେଷକମାନେ ଦାବି କରିଛନ୍ତି। ଏପରିକି ଅଧିକାଂଶ ରାଷ୍ଟ୍ରରେ କୌଣସି ନିଯୁକ୍ତିଦାତା ଏପରି ଭେଦଭାବ ବ୍ୟବହାରର ପ୍ରତିଶୋଧ ନେବାକୁ ଚାହିଲେ ବି କର୍ମଜୀବୀମାନଙ୍କୁ ନ୍ୟାୟିକ ସୁରକ୍ଷା ମିଳିପାରୁନାହିଁ। ଲସ୍‌ ଆଞ୍ଜେଲସ୍ଥିତ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ଗବେଷକମାନେ ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ସାମନାକୁ ଆଣିଛନ୍ତି। ଗତ ମେ ମାସ ୨୫ ତାରିଖରେ କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲାୟଡ୍‌ଙ୍କର ମିନିଆପଲିସ୍‌ ପୁଲିସ ନିର୍ଯାତନାରେ ମୃତ୍ୟୁକୁ କେନ୍ଦ୍ର କରି ବିଶ୍ଵ ତମାମ ପ୍ରତିବାଦ ଜାରି ରହିଥିବା ଅବସରରେ କାଲିଫର୍ଣ୍ଣିଆ ଗବେଷକମାନଙ୍କ ଏହି ନିର୍ଯାସ ଯଥେଷ୍ଟ ଗୁରୁତ୍ଵ ବହନ କରୁଛି। ଜାତିସଂଘର ୧୯୩ଟି ସଦସ୍ୟ ରାଷ୍ଟ୍ରମାନଙ୍କରେ ୨୦୧୬ ଅଗଷ୍ଟରୁ ଏପରି ଭେଦଭାବର ଶିକାର ହୋଇଥିବା କର୍ମଜୀବୀମାନଙ୍କୁ ନ୍ୟାୟିକ ସୁରକ୍ଷା ଦେବା ପାଇଁ ରହିଥିବା ବ୍ୟବସ୍ଥା ସମ୍ପର୍କରେ ଏହି ଗବେଷକମାନେ ଅନୁଧ୍ୟାନ କରିଥିଲେ। ସେଗୁଡ଼ିକ ମଧ୍ୟରେ ଜାତିଗତ, ବର୍ଣ୍ଣଗତ, ଲିଙ୍ଗଗତ, ଲିଙ୍ଗ ପରିଚୟ ଗତ, ଯୌନ ଅନୁସ୍ଥାପନ ଜନିତ ଏବଂ ପ୍ରବାସୀ ସ୍ଥିତାବସ୍ଥା ଜନିତ ଭେଦଭାବ ରହିଛି।

ଏଭଳି ପାତରଅନ୍ତର ମନୋଭାବର ପ୍ରତିକାର ପାଇଁ ମଧ୍ୟ ଆଇନଗତ ବ୍ୟବସ୍ଥା ରହିଛି। ସୁତରାଂ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରତି ଭେଦଭାବ ବେଆଇନ ବୋଲି ଜଣାପଡ଼ିଲେ, ସମସ୍ତଙ୍କୁ ସମାନ ଭାବରେ ବିଚାର କରିବାକୁ ଏକ ସ୍ପଷ୍ଟ ବାର୍ତ୍ତା ମଧ୍ୟ ପଠାଯାଇଥାଏ ବୋଲି ଏହି ଗବେଷକମାନେ କହିଛନ୍ତି। ତେବେ ସେମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଜାତିସଂଘର ଅଧିକାଂଶ ସଦସ୍ୟ ରାଷ୍ଟ୍ରରେ ମହିଳା କର୍ମଜୀବୀମାନଙ୍କୁ ସମାନ ପାରିଶ୍ରମିକ ମିଳୁନାହିଁ। ଏପରିକି ଦୁଇ ତୃତୀୟାଂଶରୁ ଅଧିକ ଦେଶରେ ଯୌନଭିତ୍ତିକ ଅନୁସ୍ଥାପନ ଜନିତ ଭେଦଭାବ ବିରୋଧରେ ନ୍ୟାୟିକ ସୁରକ୍ଷା ନାହିଁ। ସେହିପରି ୯୦ ପ୍ରତିଶତ ଦେଶରେ ତୃତୀୟ ଲିଙ୍ଗୀମାନଙ୍କ ପାଇଁ ଭେଦଭାବ ସୁରକ୍ଷା ଆଦୌ ନାହିଁ। ଅବଶ୍ୟ ବିଶ୍ଵର ସର୍ବାଧିକ ଅର୍ଥନୀତି ସଂପନ୍ନ ଆମେରିକାରେ ସମଲିଙ୍ଗୀ ଓ ତୃତୀୟ ଲିଙ୍ଗୀ କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ପାତରଅନ୍ତର କରିବା ପାଇଁ ଦୀର୍ଘ ବର୍ଷ ଧରି ରହିଆସିଥିବା ସଂଘୀୟ ଆଇନକୁ ଗତମାସରେ ହଟାଇ ନିଆଯାଇଛି। ସୂଚନାଯୋଗ୍ୟ, ବିଭିନ୍ନ ଦେଶରେ ଏପରି ଭିନ୍ନ ଭିନ୍ନ କାରଣରୁ କର୍ମକ୍ଷେତ୍ରରେ ପାତରଅନ୍ତର ଦେଖାଦେଉଥିବା ବେଳେ ଏହା ବିରୋଧରେ ଶକ୍ତ ଆଇନ ମଧ୍ୟ ଉଲ୍ଲେଖନୀୟ ଫରକ ଆଣିଥିବାର ପ୍ରମାଣ ରହିଛି ବୋଲି ଅନ୍ୟତମ ଗବେଷକ ପ୍ରଫେସର ଜୋଦି ହେମ୍ୟାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୩୦ ମସିହା ସୁଦ୍ଧା ଦୁଇଟି ପ୍ରମୁଖ ଲକ୍ଷ୍ୟ ହାସଲ କରିବା ପାଇଁ ୨୦୧୫ ମସିହାରେ ଜାତିସଂଘ ଗୁରୁତ୍ଵାରୋପ କରିଛି। ସେଗୁଡ଼ିକ ମଧ୍ୟରେ ଲିଙ୍ଗଭେଦ ତାରତମ୍ୟରେ ସମାନତା ଆଣିବା ଏବଂ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଅସମାନତା ଦୂର କରିବା ଆଦି ରହିଛି। ଅବଶ୍ୟ ଅଧିକାଂଶ ମାମଲାରେ ଧନୀ ଏବଂ ଗରିବ ରାଷ୍ଟ୍ରମାନେ ଏପ୍ରକାର ଭେଦଭାବର ଶିକାର ହେଉଥିବା ବ୍ୟକ୍ତିବିଶେଷଙ୍କୁ ସମାନ ଭାବରେ ସୁରକ୍ଷା ପ୍ରଦାନ କରୁଛନ୍ତି। ତେବେ ଯୌନ ଅନୁସ୍ଥାପନ ଜନିତ ଭେଦଭାବ କ୍ଷେତ୍ରରେ ଧନୀ ରାଷ୍ଟ୍ରମାନେ ୫୮ ପ୍ରତିଶତ ସୁରକ୍ଷା ପ୍ରଦାନ କରୁଥିବା ବେଳେ ଗରିବ ରାଷ୍ଟ୍ରରେ ତାହା ମାତ୍ର ୬ ପ୍ରତିଶତ ବୋଲି ଉକ୍ତ ଗବେଷଣାରୁ ଜଣାଯାଇଛି।

ସମ୍ବନ୍ଧିତ ଖବର