ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ମଧ୍ୟରେ ୩ୟ କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ 

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଉତ୍ତେଜନା ହ୍ରାସ ଲାଗି ଦୁଇ ଦେଶ ମଧ୍ୟରେ ୩ୟ ଥର ପାଇଁ କୋର କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି ।  ଆଜିର ଆଲୋଚନା  ନିୟନ୍ତ୍ରଣରେଖା ଏପଟେ (ଭାରତୀୟ ପଟେ) ଥିବା ଚୁସୁଲଠାରେ ଅନୁଷ୍ଠିତ ହେଉଛି ।  ଗତ ଦୁଇଟି ଆଲୋଚନା- ଜୁନ ୬ ଓ ଜୁନ ୨୨ରେ ପ୍ରକୃତ ନିୟନ୍ତ୍ରଣ ରେଖା ସେପଟେ ଥିବା ମୋଲଡୋଠାରେ ଅନୁଷ୍ଠିତ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ଫିଙ୍ଗର ୪ରୁ ୮ ମଧ୍ୟରେ ଚୀନ ସେନା ଭାରତୀୟ ସେନାକୁ ପାଟ୍ରୋଲିଂ କରିବାକୁ ଦେଉନାହିଁ ।  ଏହାକୁ ଭାରତ ବିରୋଧ କରୁଛି ।  ଏଲଏସିରେ ଚୀନ ଟ୍ୟାଙ୍କ ଓ ଅନ୍ୟାନ୍ୟ ଭାରି ଯୁଦ୍ଧାସ୍ତ୍ର ମୁତୟନ କରିଛି । ଏହାର ଜବାବରେ ଭାରତ ମଧ୍ୟ ପ୍ରାୟ ୩୦ ହଜାର ସେନା, ଟ୍ୟାଙ୍କ, ହାଓ୍ଵିଜର ତୋପ, ଲଢୁଆ ବିମାନ ମୁତୟନ କରିଛି ।

ଉତ୍ତେଜନା ହ୍ରାସ ପାଇଁ ଗତ ୬ ତାରିଖ ଦିନ ଦୁଇଦେଶର ମିଲିଟାରୀ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ । ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ  ମେଜର ଜେନେରାଲ ଲିଉ ଲିନ ଯୋଗ ଦେଇଥିଲେ । ଏହି ବୈଠକର ଫଳସ୍ୱରୂପ ଗତ ୯ ତାରିଖରେ ଚୀନ ଓ ଭାରତ ସେନା ପଛକୁ ଫେରିଥିଲେ । ତେବେ ୧୫ ତାରିଖ ରାତିରେ ଏହି ବୁଝାମଣାକୁ ଜଳାଞ୍ଜଳି ଦେଇ ଚୀନ ସେନା ପୁଣି ଅନୁପ୍ରବେଶ ପାଇଁ ଉଦ୍ୟମ କରିବାରୁ ଦୁଇ ସେନାମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ।

ସେହିପରି ୨୨ ତାରିଖରେ ହୋଇଥିବା ବୈଠକରେ ସେନା ପଛକୁ ଫେରାଇବାକୁ  ସହମତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ ।

ସମ୍ବନ୍ଧିତ ଖବର