ଆଗକୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ, ଅକ୍ଟୋବରରେ ଅବସର ନେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଗାମୀ ଅକ୍ଟୋବର ମାସରେ ଅବସର ନେବେ। ପ୍ରଧାନ ବିଚାରପତି ଏଭଳି ଅନେକ ମାମଲାର ରାୟ ଦେବେ ଯାହାକି ଦେଶବାସୀଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଆଧାରର ସାମ୍ବିଧାନିକ ବୈଧତା, ବ୍ୟକ୍ତିଗତ ଗୋପନୀୟତା, ଇସ୍‌୍‌ଲାମରେ ମସ୍‌ଜିଦର ଅପରିହାର୍ଯ୍ୟତା, ଅଯୋଧ୍ୟା ଜମି ବିବାଦ ଆଦି ମାମଲାରେ ମଧ୍ୟ ପ୍ରଧାନ ବିଚାରପତି ରାୟ ଶୁଣାଇବେ। ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀ ଚୟନ ସଂକ୍ରାନ୍ତ ଫାଇଲ୍‌ ପଠାଇବାକୁ ଥିବା ବେଳେ ଏହା ଉପରେ ସମସ୍ତଙ୍କର ନଜର ରହିଛି। ପ୍ରଧାନ ବିଚାରପତି ଯେଉଁ ନାମକୁ ପଠାଇବେ ସେ ସଂପର୍କରେ ଆଇନ ମନ୍ତ୍ରାଳୟ ବିଚାର କରିବା ପରେ ତାହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ପ୍ରଧାନ ବିଚାରପତି ମିଶ୍ରଙ୍କ ପରେ ସୁପ୍ରିମ୍‌ କୋର୍ଟର ବରିଷ୍ଠତା କ୍ରମରେ ଦ୍ୱିତୀୟ ସ୍ଥାନରେ ଜଷ୍ଟିସ୍‌ ରଂଜନ ଗୋଗୋଇ ରହିଛନ୍ତି। ପ୍ରଧାନ ବିଚାରପତି ରାୟ ଦେବାକୁ ଥିବା ମାମଲା ମଧ୍ୟରୁ ଆଧାର ମାମଲା ହେଉଛି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ଆଧାର ସ୍କିମ୍‌ ସାମ୍ବିଧାନିକ ଦୃଷ୍ଟିରୁ ବୈଧ କି ନୁହେଁ ତାହା କୋର୍ଟ ସ୍ପଷ୍ଟ କରିବେ। ଏହା ସହିତ ବ୍ୟଭିଚାର ଆଇନ ଏବଂ ସାମ୍ବିଧାନିକ ଅଧିକାର ମାମଲା ଉପରେ ମଧ୍ୟ ପ୍ରଧାନ ବିଚାରପତି ରାୟ ଦେବେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଇସ୍‌ଲାମରେ ମସ୍‌୍‌ଜିଦ୍‌ ଅଭିନ୍ନ ଅଙ୍ଗ କି ନୁହେଁ ସେ ନେଇ ମଧ୍ୟ ରାୟ ଆସିବ। ଅଯୋଧ୍ୟା ଜମି ବିବାଦ ମାମଲା ଏକ ବଡ଼ ଖଣ୍ଡପୀଠକୁ ପଠାଇବାକୁ ମଧ୍ୟ ଇତିମଧ୍ୟରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ଏ ଦିଗରେ ମଧ୍ୟ ପ୍ରଧାନ ବିଚାରପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର