ମୁମ୍ବାଇ : ଘରେ ଗଞ୍ଜେଇ ରଖି ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ୍ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଆଜି ମୁମ୍ବାଇ ଅନ୍ଧେରୀସ୍ଥିତ ତାଙ୍କ ଘରେ ଚଢ଼ଉ କରି ୮୬.୫ ଗ୍ରାମ୍ର ଗଂଜେଇ ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଏହି ଚଢ଼ଉ ବେଳେ ଉଭୟ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ ଉପସ୍ଥିତ ଥିଲେ। ଉଭୟ ଗଂଜେଇ ଖାଉଥିବା ଏନ୍ସିବି ସମ୍ମୁଖରେ ସ୍ବୀକାର କରିଛନ୍ତି। ତେବେ ହର୍ଷଙ୍କ ଡାକ୍ତରୀମାଇନା କରାଯାଉଛି। ରିପୋର୍ଟ ଆସିବା ପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ସିବିର ଜଣେ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସମୟରେ ବଲିଉଡ୍ରେ ଡ୍ରଗ୍ସ କାରବାର ସମ୍ବନ୍ଧରେ ଜଣାପଡ଼ିଥିଲା। ଏହା ପରଠାରୁ ଏନ୍ସିବି ସକ୍ରିୟ ହୋଇଯାଇଛି। ଧରାପଡ଼ିଥିବା କିଛି ଡ୍ରଗ୍ସ ମାଫିଆଙ୍କ ସୂଚନା ଆଧାରରେ ଏନ୍ସିବି ଲଗାତାର ବଲିଉଡ୍ର ବିଭିନ୍ନ କଳାକାରଙ୍କ ଘରେ ଚଢ଼ଉ କରୁଛି। ଏହା ପୂର୍ବରୁ ଗତ ୯ ତାରିଖରେ ଏନ୍ସିବି ଅଭିନେତା ଅର୍ଜୁନ୍ ରାମପାଲ ଓ ତା’ ପୂର୍ବରୁ ଚଳଚ୍ଚିତ୍ର ପ୍ରଯୋଜକ ଫିରୋଜ ନଦିଆଦୱାଲାଙ୍କ ଘରେ ଚଢ଼ଉ କରିଥିଲା। ଏନ୍ସିବି ନଦିଆଦ୍ୱାଲାଙ୍କ ପତ୍ନୀଙ୍କ ଘରୁ ଗଂଜେଇ ଜବତ କରିବା ସହ ତାଙ୍କୁ ଗିରଫ ମଧ୍ୟ କରିଥିଲା।