ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ: ମହାରାଷ୍ଟ୍ରର ଆନ୍ଧେରୀସ୍ଥିତ ବାସଭବନ ତଥା କାର୍ଯ୍ୟାଳୟରୁ ଗଞ୍ଜେଇ ଜବତ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିବା ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ସୋମବାର ମାଜିଷ୍ଟ୍ରେଟ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା କଥା ସାମ୍ନାକୁ ଆସିବା ପରେ ଶନିବାର ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭାରତୀ ଗଞ୍ଜେଇ ଟାଣୁଥିବା କଥା ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି। ଗିରଫ ପରେ ଦୁହିଁଙ୍କୁ ମୁମ୍ବାଇର କ୍ୱିଲା କୋର୍ଟରେ ହାଜର କରାଯାଇଥିବା ବେଳେ ଡିସେମ୍ବର ୪ ପର୍ଯ୍ୟନ୍ତ ଦୁହିଁଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ଅଦାଲତ। ଏ ନେଇ ଭାରତୀଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ବି ରବିବାର ଛୁଟି ଥିବାରୁ ଆଜି ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା। ଆଜି ମାମଲାର ଶୁଣାଣି କରି କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି।

www.indiatoday.in

ସୂଚନା ମୁତାବକ, ଏନସିବି ୧୫ ଘଣ୍ଟା ଧରି ପଚରାଉଚୁରା କରିବା ପରେ ୩୩ ବର୍ଷିୟ ଚିତ୍ରନାଟ୍ୟ ଲେଖକ, ପ୍ରଯୋଜକ ଏବଂ ଟିଭି କଳାକାର ଲିମ୍ବାଚିୟାଙ୍କୁ ହାଜତକୁ ନେଇଥିଲା। ଶନିବାର ଦିନ ପତ୍ନୀ ଭାରତୀ ସିଂହଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଦୁହିଁଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଇ ପରେ କୋର୍ଟରେ ହାଜର କରାଯାଇଥିଲା।

ଶନିବାର ଦିନ ଅନ୍ଧେରୀସ୍ଥିତ ଏକ ଆପାର୍ଟମେଣ୍ଟ୍‌ ପରିସରରେ ଥିବା ଦମ୍ପତିଙ୍କ ବାସଭବନ ତଲାସ କରି ମାଦକଦ୍ରବ୍ୟ-ନିରୋଧୀ ଏଜେନ୍ସି ସ୍ୱଳ୍ପ ପରିମାଣର ଗଞ୍ଜେଇ (୮୬.୫ ଗ୍ରାମ୍‌) ଉଦ୍ଧାର କରିଥିଲା। ଏହାପରେ ପଚରାଉଚୁରା ନିମନ୍ତେ ତାଙ୍କୁ ‘ଏନ୍‌ସିବି’ର ମୁମ୍ବାଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ‘ଏନ୍‌ସିବି’ କହିବା ଅନୁସାରେ, ପଚରାଉଚୁରା ସମୟରେ ଶ୍ରୀମତୀ ସିଂହ ଏବଂ ଶ୍ରୀ ଲିମ୍ବାଚିୟା ଗଞ୍ଜେଇ ଟାଣୁଥିବା କଥା ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର