୨ ମାସରେ ୧୨ଟି ସୋ ବାତିଲ ହେବା ପରେ କମେଡିଆନ ମୁନାୱାର ଫାରୁକିଙ୍କ ଖେଦୋକ୍ତି: ‘ବହୁତ ହୋଇଗଲା, ଆଉ ସୋ କରିବାର ନାହିଁ’

ବେଙ୍ଗାଲୁରୁ: ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ଧମକ ଯୋଗୁ ଗତ ଦୁଇ ମାସରେ ଅନ୍ୟୂନ ୧୨ଟି ‌କମେଡି ସୋ ବାତିଲ ହେବା ପରେ କମେଡିଆନ ମୁନାୱାର ଫାରୁକି ଆଉ ସୋ କରିବେ ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି। ତାଙ୍କର ଯେଉଁ ଶେଷ ସୋ’ଟି ପାତିଲ ହୋଇଛି ତାହା ଆଜି ବେଙ୍ଗାଲୁରୁରେ ପ୍ରଦର୍ଶିତ ହେବାର ଥିଲା। ଆଇନ-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବା ଦର୍ଶାଇ ପୁଲିସ ସୋ ବନ୍ଦ କରିବାକୁ ଆୟୋଜକମାନଙ୍କୁ କହିଥିଲା।

ଚଳିତବର୍ଷ ପ୍ରଥମ ଭାଗରେ ତାଙ୍କର ଏକ କମେଡ଼ି ସୋ’ରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ଅଭିଯୋଗରେ ଫାରୁକି ଗୋଟିଏ ମାସ ଜେଲରେ ରହିଥିଲେ। ବେଙ୍ଗାଲୁରୁ ସୋ ବାତିଲ ହେବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଫାରୁକି ଲେଖିଛନ୍ତି, ‘‘ଘୃଣା ଜିତିଲା, କଳାକାର ହାରିଲା । ମୋ କାମ ସରିଗଲା, ବିଦାୟ, ଅନ୍ୟାୟ।’’ ତାଙ୍କର କେତେଜଣ ବନ୍ଧୁ ସୋ ବନ୍ଦ ନ କରିବାକୁ ଅନୁରୋଧ କରିଥିଲେ। ଫାରୁକି କହିଛନ୍ତି, ସେ ଯେଉଁ ଜୋକ୍ (ଦେବଦେବୀଙ୍କୁ ଉପହାସ) କରି ନାହାନ୍ତି, ସେଥିପାଇଁ ତାଙ୍କୁ ଜେଲରେ ପୂରାଗଲା। ବର୍ତ୍ତମାନ ତାକୁ ଆଳ କରି ତାଙ୍କର ସବୁ ସୋ’କୁ ବିରୋଧ କରି ବନ୍ଦ କରିଦେବା ଅନ୍ୟାୟ। ଏହି ସୋ ପାଇଁ ୬୦୦ ଟିକେଟ ବିକ୍ରି ସରିଥିଲା। ସେଥିରୁ ପ୍ରାପ୍ତ ଅର୍ଥ ଦାତବ୍ୟ କାର୍ଯ୍ୟରେ ଲାଗିଥାନ୍ତା। ଗୋଟିଏ ସୋ’ରୁ ୮୦ ଜଣ ଲୋକ ଜୀବିକା ନିର୍ବାହ କରନ୍ତି। ଏହି ସୋ ପାଇଁ ତାଙ୍କ ପାଖରେ ସେନ୍ସର ସାର୍ଟିଫିକେଟ ବି ଥିଲା। ଏଥିରେ କିଛି ବି ଅସୁବିଧା ନ ଥିଲା। କିନ୍ତୁ ସୋ ବନ୍ଦ ହୋଇଗଲା। ଗତ ୨ ମାସରେ ୧୨ଟି ଶୋ ବନ୍ଦ ହେଲାଣି। ତେଣୁ ଆଉ ତାଙ୍କର ସୋ କରିବାର ନାହିଁ ବୋଲି ଫାରୁକି ଖେଦୋକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର