ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହୋଇପାରେ ଉଡ଼ନ୍ତା ରିକ୍ସା

ଜାମସେଦପୁର : ଦିନକୁ ଦିନ ଜନ ସଂଖ୍ୟା ବଢ଼ିବା ଅନୁଯାୟୀ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ୧୫ ମିନିଟ୍‌ ବାଟକୁ ଲାଗୁଛି ୩୦ ମିନିଟ୍‌ । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଏହାର ସମାଧାନର ବାଟ ଖୋଜିଛନ୍ତି ରାଜ୍ୟ ନାଗରିକ ଉନ୍ନୟନ ମନ୍ତ୍ରୀ ଜୟନ୍ତ ସିହ୍ନା ।

ମଙ୍ଗଳବାର ଟାଟା ଷ୍ଟିଲ ତରଫରୁ ଅଯୋଜିତ ଏକ କନ୍‌କ୍ଲେଭ୍‌ରେ ଯୋଗଦେଇ ଉଡ଼ନ୍ତା ରିକ୍ସାର ପ୍ରସ୍ତାବ ବିଷୟରେ ଜଣାଇଥିଲେ । ପରିବହନକୁ ଆହୁରି ସୁବିଧାଜନକ କରିବା ପାଇଁ ତାଙ୍କ ମନ୍ତ୍ରାଳୟ ଡ଼୍ରୋନ ଦ୍ୱାରା ଚାଳିତ ଉଡ଼ନ୍ତା ରିକ୍ସା ଉପରେ ପରୀକ୍ଷା ଆରମ୍ଭ କରିଛି ବୋଲି ସେ କହିଥିଲେ ।

“ବିମାନରେ ଯାତ୍ରା କରିବା ପାଇଁ ଲାଗୁଥିବା ଟଙ୍କା ଅଟୋ ରିକ୍ସାରେ ଲାଗୁଥିବା ଟଙ୍କା ସହ ପାଖାପାଖି ସମାନ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି । ସହରରେ ରହୁଥିବା ଲୋକମାନେ ଅଟୋରେ ଏକ କିଲୋମିଟର ଯିବା ପାଇଁ ୪ ଟଙ୍କା ଦେଉଛନ୍ତି ଯାହାକି ବିମାନ ଯାତ୍ରାର ଏକ କିଲୋମିଟରର ଟଙ୍କା ସହ ପାଖାପାଖି ସମାନ । ଯେହେତୁ ବିମାନ ହଜାର ହଜାର କିଲୋମିଟର ଗୋଟେ ଥରରେ ଅତିକ୍ରମ କରୁଛି ସେଥିପାଇଁ ଟିକେଟ୍‌ର ଦାମ ଟିକେ ଅଧିକ ରହିଛି । ଏହି ଭଳି ବ୍ୟବସ୍ଥା ଜର୍ମାନୀ ଏବଂ ୟୁଏଇରେ କାର୍ଯ୍ୟକାରୀ ହୋଇ ସାରିଛି । ଏହାକୁ ସଫଳ କରିବା ପାଇଁ ଟାଟା ଷ୍ଟିଲ ଏବଂ ଟାଟା ମୋଟର୍ସକୁ ଏକାଠି ଏକ ଲ୍ୟାବ କରି ଏ ନେଇ କାର୍ଯ୍ୟ ଆରମ୍ଭ କରିବା ଉଚିତ୍‌” ବୋଲି ଜୟନ୍ତ ସିହ୍ନା ନିଜର ଅଭିଭାଷଣ ରଖିଥିଲେ । ତେବେ ଏହା କେବେ ଆରମ୍ଭ ହେବା ତାହାର ସ୍ପଷ୍ଟୀକରଣ କିଛି ମିଳି ନାହିଁ ।

ସମ୍ବନ୍ଧିତ ଖବର