ତିରୁବନନ୍ତପୁରମ୍: ୧୧୯ ଜଣ ବାସିନ୍ଦା କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ତିରୁବନନ୍ତପୁରମ୍ ଜିଲ୍ଲା ଅନ୍ତର୍ଗତ ପୂନ୍ତୁରା ଗାଁ’କୁ କର୍ଡନ୍ କରାଯାଇ ୨୫ ଜଣ କମାଣ୍ଡୋଙ୍କୁ ମତୟନ କରାଯାଇଛି।
ପୂନ୍ତୁରା ଗାଁରୁ ସଂଗ୍ରହ କରାଯାଇଥିବା ୬୦୦ ସ୍ବାବ୍ ନମୁନାରୁ ୧୧୯ଟି କରୋନାଭାଇରସ୍ ପଜିଟିଭ୍ ବାହାରିଥିଲା। ସେଥିରୁ ୫୪ଟି ନମୁନା ସ୍ଥାନୀୟ ସଂକ୍ରମଣ ବୋଲି ବୁଧବାର ଦିନ ଜଣାପଡ଼ିଥିଲା।
ଜିଲ୍ଲା ମହାମାରୀ ନିୟନ୍ତ୍ରଣ କଟକଣାର ଦାୟିତ୍ବରେ ଥବା ମନ୍ତ୍ରୀ କଦମପାଲ୍ଲୀ ସୁରେନ୍ଦ୍ରନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଗାଁରେ ଜଣେ ସୁପରସ୍ପ୍ରେଡର୍ଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ଉପସ୍ଥିତି ଯୋଗୁଁ ଗାଁରେ ଦ୍ରୁତ ବେଗରେ ସ୍ଥାନୀୟ ସଂକ୍ରମଣ ବଢ଼ିଯାଇଛି।
/sambad/media/post_attachments/wp-content/uploads/2020/07/co-1-300x176.jpg)
ସ୍ବାସ୍ଥ୍ୟ ଓ ଜିଲ୍ଲା ପ୍ରଶାସନ ସେ ଗାଁରେ ସଂକ୍ରମଣ ପ୍ରତିହତ କରିବାକୁ ଚରମ ପଦକ୍ଷେପ ଗ୍ରହଣ କରି ତିନୋଟି ୱାର୍ଡକୁ କ୍ରିଟିକାଲ୍ କଣ୍ଟେନ୍ମେଣ୍ଟ୍ ଜୋନ୍ ଓ ପାଞ୍ଚଟି ୱାର୍ଡକୁ ବଫର ଜୋନ୍ ଭାବେ ଘୋଷଣା କରିଛନ୍ତି।
୨୫ଜଣ କମାଣ୍ଡୋଙ୍କ ସହ ପୂନ୍ତୁରା ଗାଁରେ ଛଅଟି ସ୍ବାସ୍ଥ୍ୟକର୍ମୀ ଟିମ୍ ମୁତୟନ କରାଯାଇଛି। ଗାଁ ଭିତରକୁ କାହାରିକୁ କୌଣସି ମତେ ଛଡ଼ାଯିବାକୁ ନିଷେଧ କରାଯାଇଛି। ସମୁଦ୍ରରେ ମଧ୍ୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ଗାଁର କୌଣସି ଲୋକଙ୍କୁ ମଧ୍ୟରାଜ୍ୟ ସୀମା ଟପି ତାମିଲିନାଡୁକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ। ଗାଁର ସବୁ ଘରକୁ ବିଶୋଧନ କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ଘୋଷଣା ହେଲାଯାଏଁ ତିରୁବନନ୍ତପୁରମ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛମରା କାର୍ଯ୍ୟ ନିଷେଧ କରାଯାଇଛି।
ଏଠାରେ ପ୍ରକାଶଯୋଗ୍ୟ କି, ଲକ୍ଡାଉନ୍ ସମୟରେ ବି ପୂନ୍ତୁରା ଗାଁର ମତ୍ସ୍ୟଜୀବୀ ସବୁବେଳେ ମାଛଧରିବା ପାଇଁ ତାମିଲନାଡୁକୁ ଯାଉଥିଲେ।