ମଧ୍ୟ ପ୍ରଦେଶରେ କମେଡିଆନ୍‌ ବୀର ଦାସଙ୍କ ସୋ’ ଉପରେ ରୋକ୍‌

ଭୋପାଳ: ଏକ ଭିଡିଓକୁ ନେଇ ଫସି ଯାଇଛନ୍ତି କମେଡ଼ିଆନ୍‌ ବୀର ଦାସ। ଏ ନେଇ ତାଙ୍କ ବିରୋଧରେ ଦିଲ୍ଲୀର ତିଳକ ମାର୍ଗ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶା ଯାଇଛି, ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମରେ ବୀର ଦାସ ଭାରତ ବିରୋଧରେ ଅଭଦ୍ରୋଚିତ ଟିପ୍ପଣୀ ‌ଦେଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ କମେଡ଼ିଆନ ବୀର ଦାସ ଏକ ବୟାନରେ କହିଛନ୍ତି, ଦେଶକୁ ଅପମାନିତ କରବିା ମୋର ଉଦ୍ଦେଶ୍ୟ ନଥିଲା।

ସେ ଏବେବି ଆମେରିକାରେ ଅଛନ୍ତି। ସେ ସୋମବାର ୟୁଟ୍ୟୁବ୍‌ରେ ଗୋଟିଏ ପରେ ଗୋଟିଏ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଯାହାର ଶୀର୍ଷକ ଥିଲା ‘ଆଇ କମ୍‌ ଫ୍ରମ୍‌ ୨ ଇଣ୍ଡିଆଜ୍’। ଏହି ଭିଡିଓ ୱାସିଂଟନ ଡିସିର ଜନ୍‌ ଅଫ୍‌ କେନେଡି ସେଣ୍ଟରରେ ଅନୁଷ୍ଠିତ ତାଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ। ଏହି ମାମଲାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆଜି କହିଛନ୍ତି, କମେଡ଼ିଆନ୍‌ ବୀର ଦାସଙ୍କୁ ମଧ୍ୟ ପ୍ରଦେଶରେ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯିବ ନାହିଁ। ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ‘ଆଇ କମ୍‌ ଫ୍ରମ୍‌ ୨ ଇଣ୍ଡିଆଜ୍‌’ରେ କରାଯାଇଥିବା ଟିପ୍ପଣୀକୁ ନେଇ ଦାସଙ୍କ ବିରୋଧରେ ଥାନାରେ ଏତାଲା ଦିଆଯାଇଛି। ଭାରତକୁ ଏଭଳି ପରିହାସ କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମ କରିବା ପାଇଁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର