ସେନା ସମ୍ପର୍କରେ ଟିପ୍ପଣୀ:ବିବାଦରେ ଆର୍‌ଏସ୍‌ଏସ୍‌ ମୁଖ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଭାରତୀୟ ସେନାର ପ୍ରସ୍ତୁତିକୁ ନେଇ ଦେଇଥିବା ଏକ ବୟାନକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି । ମୁଜାଫରପୁର ଜିଲ୍ଲା ସ୍କୁଲ ପରିସରରେ ଆୟୋଜିତ ଆର୍‌ଏସ୍‌ଏସ୍‌ କର୍ମୀଙ୍କ ଏକ କାର୍ଯ୍ୟକ୍ରମରେ ଭାଗବତ କହିଥିଲେ- ସଂଘ ତିନି ଦିନ ଭିତରେ ସେନା ପ୍ରସ୍ତୁତ କରିପାରିବ। ଯେଉଁ କାମ କରିବା ପାଇଁ ସ୍ଥଳ ସେନାକୁ ୬ରୁ ୭ ସପ୍ତାହ ଲାଗିଥାଏ, ତାହାକୁ ୩ ଦିନ ମଧ୍ୟରେ କରିବା ପାଇଁ ସଂଘର କ୍ଷମତା ରହିଛି। ଯଦି ସମ୍ବିଧାନ ଅନୁମତି ଦିଏ ତା’ହେଲେ ସ୍ୱୟଂସେବକ ଦେଶ ପାଇଁ ସମ୍ମୁଖରେ ରହି ଲଢ଼େଇ କରିବାକୁ ପ୍ରସ୍ତୁତ ବୋଲି ଭାଗବତ କହିଥିଲେ। ଭାଗବତଙ୍କ ଏହି ବୟାନକୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଦେଶ ପାଇଁ ଜୀବନ ଦେଉଥିବା ସେନା ପାଇଁ ଭାଗବତଙ୍କ ବୟାନ ଏକ ଅପମାନ। ସେନା ଏବଂ ସହିଦଙ୍କ ଅପମାନ କରିଥିବା ଭାଗବତଙ୍କୁ ଏଥିପାଇଁ ଲଜ୍ଜ୍ୟା ଲାଗିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି।

ଆପ୍‌ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ କହିଛନ୍ତି ଯେ ଏଭଳି ବୟାନ ଅନ୍ୟ କେଉଁ ଦଳର ନେତା ଦେଇଥିଲେ ବିଜେପି ନେତାମାନେ ତାଙ୍କୁ ପାକିସ୍ତାନ ପଠାଇ ସାରନ୍ତେଣି। ଗଣମାଧ୍ୟମ ମଧ୍ୟ ଏଭଳି ବୟାନ ପାଇଁ ଫାଶୀ ଦଣ୍ଡ ପାଇ ଦାବି କରନ୍ତାଣି ବୋଲି ସେ କହିଛନ୍ତି। ବିବାଦ ବଢ଼ିବା ପରେ ଆର୍‌ଏସ୍‌ଏସ୍‌ ପକ୍ଷରୁ ଆଜି ଏ ବାବଦରେ ସଫେଇ ଦେଇ କୁହାଯାଇଛି ଯେ କେତେକ ଗଣମାଧ୍ୟମରେ ଭାଗବତଙ୍କ ବୟାନକୁ ବିକୃତ କରି ପରିବେଷଣ କରାଯାଇଛି। ଅସଲରେ ଭାଗବତ ସେନାର ତୁଳନା ଆର୍‌ଏସ୍‌ଏସ୍‌ ସହ କରିନାହାନ୍ତି। ଯୁଦ୍ଧ ସ୍ଥିତିରେ ନାଗରିକ ସମାଜର ପ୍ରସ୍ତୁତି ଏବଂ ଆର୍‌ଏସ୍‌୍‌ଏସ୍‌ର ପ୍ରସ୍ତୁତି ନେଇ ଏକ ତୁଳନାତ୍ମକ ଚିନ୍ତା ସେ ଦେଇଥିଲେ ବୋଲି କୁହାଯାଇଛି। ଯୁଦ୍ଧ ସ୍ଥିତିରେ ସାଧାରଣ ନାଗରିକଙ୍କୁ ପ୍ରସ୍ତୁତ କରିବା ପାଇଁ ୬ ମାସ ସମୟ ଲାଗୁଥିବା ବେଳେ ଏହି କାର୍ଯ୍ୟ ଆର୍‌୍‌ଏସ୍‌ଏସ୍‌ ୩ ଦିନ ମଧ୍ୟରେ କରିପାରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର