ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପିର ନିଲମ୍ବିତ ନେତ୍ରୀ ଦେଇଥିବା ବିବାଦୀୟ ଟିପ୍ପଣୀକୁ ଉପସାଗରୀୟ ରାଷ୍ଟ୍ରରେ କଡ଼ା ବିରୋଧ କରାଯାଇଛି। ଉକ୍ତ ପ୍ରସଙ୍ଗରେ ବିଭିନ୍ନ ରାଷ୍ଟ୍ରରେ ଦେଖା ଦେଇଥିବା ଅସନ୍ତୋଷକୁ କମାଇବା ପାଇଁ ସରକାର ସବୁ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଉପସାଗରୀୟ ରାଷ୍ଟ୍ରମାନଙ୍କରେ ବିରୋଧ ଭାବ ବଢ଼ୁଛି। ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀ ପାଇଁ ପ୍ରତିବାଦର ସ୍ବର ୧୬ ରାଷ୍ଟ୍ରକୁ ବ୍ୟାପିଲାଣି। ଇରାକ, ଇରାନ, କୁଏତ, କତାର, ସାଉଦି ଆରବ, ଓମାନ, ୟୁଏଇ, ଜୋର୍ଡାନ୍, ଆଫଗାନିସ୍ତାନ, ପାକିସ୍ତାନ, ବାହରିନ, ମାଳଦ୍ବୀପ, ଲିବିୟା, ତୁର୍କୀ, ଇଣ୍ଡୋନେସିଆ ଏବଂ ମାଲେସିଆ ସମେତ ମୋଟ୍ ୧୬ରାଷ୍ଟ୍ର ଏହି ବିବାଦୀୟ ଟିପ୍ପଣୀ ପାଇଁ ଭାରତ ବିରୋଧରେ ପ୍ରତିବାଦ କରିଛନ୍ତି। ଉପରୋକ୍ତ ରାଷ୍ଟ୍ରମାନେ ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀକୁ କଡ଼ା ନିନ୍ଦା କରିବା ସହ ସେମାନଙ୍କ ଠାରୁ କ୍ଷମା ଦାବି କରିଛନ୍ତି। ଆଜି ମାଲେସିଆର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଛି। ବିଦେଶ ସହ ଦେଶ ମଧ୍ୟରେ ବି ବିଜେପି ବିରୋଧରେ ପ୍ରତିବାଦର ସ୍ବର ବଢ଼ୁଛି। ବିରୋଧୀ ଦଳ ନେତାମାନେ କହିଛନ୍ତି, ବିଜେପି ନେତାଙ୍କ ଭୁଲ୍ ପାଇଁ ଭାରତ କାହିଁକି କ୍ଷମା ମାଗିବ। ବିଜେପି କ୍ଷମା ମାଗୁ।
ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦିଲ୍ଲୀ ପୁଲିସ ସୁରକ୍ଷା ଦେଇଛି। ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ ପାଇଁ ନୂପୁରଙ୍କୁ ହତ୍ୟା ଧମକ ମିଳିଥିବାରୁ ସେ ପୁଲିସରେ ଏତଲା ରୁଜୁ କରିଥିଲେ। ସେଥିରେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାପାଇଁ ପୁଲିସକୁ ଅନୁରୋଧ କରିଥିଲେ। ମେ’ ୨୮ରେ ତାଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଅଭିଯୋଗ କରିଛନ୍ତି। ନୂପୁରଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୫୦୬, ୫୦୭ ଏବଂ ୫୦୯ ଅଧୀନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। କିଛି ବ୍ୟକ୍ତି ଶତ୍ରୁତା ବଢ଼ାଉଛନ୍ତି ବୋଲି ଶର୍ମା ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ନୂପୁରଙ୍କୁ ସୁରକ୍ଷା ଦେଇଛି। ଦଳୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନୂପୁର ଆଜି କହିଛନ୍ତି ଯେ ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ସେ ସମ୍ମାନ ଜଣାଉଛନ୍ତି।
ଅନ୍ୟପକ୍ଷେ ନୂପୁରଙ୍କ ବିରୋଧରେ ମହାରାଷ୍ଟ୍ରରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଦିଲୀପ ୱାଲ୍ସେ ପାଟିଲ କହିଛନ୍ତି, ନୂପୁରଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଅଲ୍ ଇଣ୍ଡିଆ ପ୍ରୋଗ୍ରେସିଭ ମୁସଲିମ ୱେଲଫେୟାର କମିଟି ନୂପୁରଙ୍କ ବିରୋଧରେ ଅମ୍ବରନାଥ ଥାନାରେ ଅଭିଯୋଗ କରିଛି। ମହାରାଷ୍ଟ୍ରର ମୁମ୍ବ୍ରା ପୁଲିସ ନୂପୁରଙ୍କ ବୟାନ ରେକର୍ଡ ପାଇଁ ତାଙ୍କୁ ଆସନ୍ତା ୨୨ ତାରିଖରେ ସମନ୍ କରିଛି। ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ ପାଇଁ ବିରୋଧୀ ନେତାଙ୍କ ଦାବି ଜୋର୍ ଧରିଛି।
ସୀମା ଅତିକ୍ରମ ନ କରିବାକୁ ବିଜେପିର ପରାମର୍ଶ
ନୂଆଦିଲ୍ଲୀ : ବିଜେପି କାର୍ଯ୍ୟକର୍ତ୍ତା ନୂପୁର ଶର୍ମା ଏକ ଟିଭି ବିତର୍କରେ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ବଢ଼ିବା ପରେ ଟିଭି ବିତର୍କରେ ଭାଗ ନେଉଥିବା ବିଜେପିର ନେତା ଏବଂ ମୁଖପାତ୍ରଙ୍କ ପାଇଁ ଦଳ ନୂଆ ନିୟମ ଜାରି କରିଛି। ନୂଆ ନିୟମ ଅନୁଯାୟୀ କେବଳ ସ୍ବୀକୃତିପ୍ରାପ୍ତ ମୁଖପାତ୍ର ଏବଂ ପାନେଲିଷ୍ଟ୍ମାନେ ଟିଭି ବିତର୍କରେ ଭାଗ ନେବେ। ସେମାନଙ୍କୁ ମିଡିଆ ସେଲ୍ ନିୟୋଜିତ କରିବ। କୌଣସି ଗୁରୁତ୍ବପୂର୍ଣ୍ଣ ଆଲୋଚନା ସମୟରେ ସୀମା ଅତିକ୍ରମ ନକରିବା, ନିଜ ଭାଷା ଉପରେ ଲଗାମ ଦେବା, ଅତ୍ୟଧିକ ଉତ୍ସାହିତ କିମ୍ବା ଉତ୍ତେଜିତ ନହେବା ଏବଂ ଦଳର ବିଚାରଧାରା ଏବଂ ଆଦର୍ଶର ଉଲ୍ଲଂଘନ ନ କରିବାକୁ ସେମାନଙ୍କୁ କୁହାଯାଇଛି। ବିତର୍କରେ ଭାଗ ନେବା ପୂର୍ବରୁ ପ୍ରଥମେ ପ୍ରସଙ୍ଗ ବିଷୟରେ ଭଲ ଭାବେ ଅବଗତ ଓ ପ୍ରସ୍ତୁତ ହେବା ଏବଂ ଏହି ପ୍ରସଙ୍ଗରେ ଦଳୀୟ ବିଚାରଧାରାକୁ ସମ୍ମାନ ଦେବାକୁ ସେମାନଙ୍କୁ କୁହାଯାଇଛି। କୌଣସି ଟ୍ରାପ୍ରେ ନପଡ଼ି ସେମାନେ ଏଜେଣ୍ଡା ମଧ୍ୟରେ ହିଁ ରହିବେ। ସରକାରଙ୍କ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ବିଷୟରେ ସେମାନେ କୁହନ୍ତୁ ବୋଲି ବିଜେପି ଚାହୁଛି।
ଏନ୍ଡିଏ ସରକାରକୁ ପ୍ରଭାବିତ କରିନି
କୋଚି: ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଯେଉଁ ସ୍ଥିତି ଉପୁଜିଛି ତାହା ଶାସକ ଏନ୍ଡିଏ ଉପରେ କୌଣସି ପ୍ରଭାବ ପକାଇନି। ନୂପୁର ଶର୍ମା ଜଣେ ସରକାରୀ କାର୍ଯ୍ୟକର୍ତ୍ତା ହୋଇନଥିବାରୁ ଏନ୍ଡିଏ ସରକାର ଉପରେ ଏହାର କିଛି ପ୍ରଭାବ ପଡ଼ିବନି। ଉକ୍ତ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ରଖିଥିବା ଉପସାଗରୀୟ ରାଷ୍ଟ୍ରମାନଙ୍କ ସହ ମଧ୍ୟ ଭଲ ସମ୍ପର୍କ ଜାରି ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଆଜି କହିଛନ୍ତି। ଗୋୟଲ କହିଛନ୍ତି, ଶର୍ମାଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ବିଜେପି ରବିବାର ଶର୍ମା ଏବଂ ଏହାର ଦିଲ୍ଲୀ ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶର୍ମା ନିଲମ୍ବିତ ହୋଇଥିବାବେଳେ ଜିନ୍ଦଲ ବହିଷ୍କୃତ ହୋଇଛନ୍ତି।
ବିଜେପି ନେତା ଗିରଫ
ନୂଆଦିଲ୍ଲୀ : ପ୍ରଫେଟ୍ଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଜଣେ ବିଜେପି ନେତା ଆଜି ଗିରଫ ହୋଇଛନ୍ତି। କାନପୁର ହିଂସା ଘଟଣାର ୪ ଦିନ ପରେ ତାଙ୍କୁ ଗିରଫ କରାଯାଇଛି। ଏକ ଆପତ୍ତିଜନକ ପୋଷ୍ଟ୍ ଦ୍ବାରା ବିଜେପି ଯୁବଶାଖାର ଜଣେ କାର୍ଯ୍ୟକର୍ତ୍ତା ହର୍ଷିତ ଶ୍ରୀବାସ୍ତବ ବିଶୃଙ୍ଖଳା ସୃଷ୍ଟି ପାଇଁ ଉଦ୍ୟମ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। କାନପୁର ପୁଲିସ କମିସନର ବିଜୟ ମୀନା କହିଛନ୍ତି, ଧାର୍ମିକ ଭାବନାକୁ ଆଘାତ ଦେବାକୁ ଯିଏ ଚେଷ୍ଟା କରିବ ତାଙ୍କୁ ଗିରଫ କରାଯିବ। ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀ ପାଇଁ ନୁପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କ ପରେ ହର୍ଷିତ ଶ୍ରୀବାସ୍ତବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।