ନୂଆଦିଲ୍ଲୀ : ବିଜେପିର ଜାତୀୟ ମୁଖପାତ୍ର ନୂପୁର ଶର୍ମା ଏବଂ ଦଳର ଦିଲ୍ଲୀ ଶାଖା ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ଦେଶବିଦେଶରେ କଡ଼ା ବିରୋଧ କରାଯାଇଛି। ଆରବ ରାଷ୍ଟ୍ରମାନଙ୍କରେ ଭାରତୀୟ ଦ୍ରବ୍ୟ ଏବଂ ଚଳଚ୍ଚିତ୍ର ବର୍ଜନ ପାଇଁ ସୋସିଆଲ୍ ମିଡିଆରେ ଡାକରା ଦିଆଯାଇଛି। ଓମାନର ଗ୍ରାଣ୍ଡ୍ ମୁଫ୍ତି ଶେଖ୍ ଅହମ୍ମଦ ବିନ୍ ହମଦ ଅଲ୍ ଖଲିଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦେବାପରେ ପଶ୍ଚିମ ଏସିଆରେ ଲୋକମାନେ ଟ୍ବିଟରରେ ଝଡ଼ ସୃଷ୍ଟି କରିଛନ୍ତି। ଆରବ ଦେଶରେ ଏଭଳି ପ୍ରତିକ୍ରିୟା ଦେଖି ବିଜେପି ଏହାର ପ୍ରବକ୍ତା ନୂପୁର ଶର୍ମାଙ୍କୁ ନିଲମ୍ବିତ ଏବଂ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବିଦା କରିଛି।
ବିଜେପି ପ୍ରବକ୍ତାଙ୍କ ଟିପ୍ପଣୀକୁ ବିରୋଧ କରି ଆଜି କତାର, କୁଏତ ଓ ଇରାନ ସେମାନଙ୍କ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ସହିତ ଏକ ବୈଠକ ହୋଇଛି। ବୈଠକରେ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ସରକାର ସବୁ ଧର୍ମକୁ ସମ୍ମାନ ଦିଅନ୍ତି। ଯେଉଁମାନେ ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସେମାନେ ସ୍ବାର୍ଥବାଦୀ ତତ୍ତ୍ବ ବା ଫ୍ରିଞ୍ଜ ଏଲିମେଣ୍ଟ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ସାରିଛି। ବିବାଦୀୟ ଟିପ୍ପଣୀ ଦେଇଥିବା ନେତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ କତାର ସ୍ବାଗତ କରିଛି। ଓମାନ ମୁଫତି ବିଜେପି ପ୍ରବକ୍ତାଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି। ଭାରତୀୟ ସାମଗ୍ରୀର ବର୍ଜନ ଆରବ ଦେଶଗୁଡ଼ିକରେ ଟ୍ବିଟରରେ ଟ୍ରେଣ୍ଡ୍ ହୋଇଛି। ସାଉଦି ଆରବ, କୁଏତ ଏବଂ ବାହାରିନ ଭଳି ଉପସାଗରୀୟ ଦେଶର ସୁପରଷ୍ଟୋର ଗୁଡ଼ିକର ଥାକରୁ ଭାରତୀୟ ସାମଗ୍ରୀକୁ କାଢ଼ି ଦିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହିତ ୪ ଦିନିଆ କତାର ଗସ୍ତରେ ଯାଇଛନ୍ତି। ନାଇଡୁ କତାରର ପ୍ରଧାନମନ୍ତ୍ରୀ ଶେଖ ଖଲିଦ ବିନ୍ ଖଲିଫା ବିନ୍ ଅବଦୁଲାଜିଜ୍ ଅଲ୍ ଥାନିଙ୍କୁ ରବିବାର ଭେଟିଛନ୍ତି। ଉପରାଷ୍ଟ୍ରପତି କତାର ସହିତ ସେନେଗାଲ ଏବଂ ଗାବନ ଗସ୍ତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/45h4h65f4h65hf56hfhsf.jpg)