ଉଜ୍ଜୟିନୀ: ମଙ୍ଗଳବାର ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଥିବା ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିର ଦର୍ଶନରେ ଯାଇଥିବା ବେଳେ ବଜରଙ୍ଗଦଳ କର୍ମୀମାନେ ତାଙ୍କୁ ବାଧା ଦେଇଥିଲେ। ‘ହିନ୍ଦୁ-ବିରୋଧୀ ଆଲିଆ’ ଓ ‘ଗୋମାଂସ-ଭକ୍ଷଣକାରୀ ରଣବୀର’ଙ୍କ ଦ୍ବାରା ସେମାନେ ମହାକାଳେଶ୍ବର ମନ୍ଦିରର ପବିତ୍ରତା ନଷ୍ଟ ହେବାକୁ ଦେବେ ନାହିଁ ବୋଲି କହିଥିଲେ। ପୁଲିସ ବିରୋଧ ପ୍ରଦର୍ଶନକାରୀମାନଙ୍କ ଉପରେ ଲାଠିମାଡ଼ କରିବା ସହ ରଣବୀର-ଆଲିଆଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନର ବ୍ୟବସ୍ଥା କରିଥିଲେ। ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ଆଲିଆ-ରଣବୀରଙ୍କୁ ଭିତରକୁ ଯାଇ ମହାକାଳେଶ୍ବରଙ୍କୁ ଦର୍ଶନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧ ଓ ବିଶୃଙ୍ଖଳା ବଢ଼ିବା ଆଶଙ୍କାରେ ଉଭୟ ଦର୍ଶନ ନ କରି ଫେରିଯାଇଥିଲେ।
ଏକ ଭାଇରାଲ ଭିଡିଓରେ ଜନୈକ ବଜରଙ୍ଗଦଳ କର୍ମୀ କହିବାର ଶୁଣାଯାଉଛି ଯେ ସେମାନେ ରଣବୀର ଓ ଆଲିଆଙ୍କୁ କେବଳ କଳାପତାକା ପ୍ରଦର୍ଶନ କରି ଶାନ୍ତିପୂର୍ଣ୍ଣଭାବେ ବିରୋଧ କରିଥିଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ ଲାଠି ମାଡ଼ ଆରମ୍ଭ କରିଦେଇଥିଲା। ପୂର୍ବରୁ ରଣବୀର ଗୋମାତା-ବିରୋଧୀ ମନ୍ତବ୍ୟ ଦେଇଥିଲେ ଏବଂ କହିଥିଲେ ଗୋମାଂସ ଖାଇବା କୁଆଡ଼େ ଭାରି ଭଲ। ସେ ଗୋମାଂସ ଖାଇବାକୁ ଭଲପାଆନ୍ତି। ଗୋମାଂସଭକ୍ଷୀ ମନ୍ଦିରକୁ ଗଲେ ମନ୍ଦିରର ପିବତ୍ରତା ନଷ୍ଟ ହେବା ଆଶଙ୍କାରେ ଆମେ ସେମାନଙ୍କୁ ବିରୋଧ କରିଥିଲୁ ବୋଲି ବଜରଙ୍ଗ ଦଳ କର୍ମୀ କହିଛନ୍ତି। ରଣବୀର ଓ ଆଲିଆ ତାଙ୍କ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର ୧ମ ଭାଗ: ଶିବ’ ରିଲିଜ୍ ହେବା ପୂର୍ବରୁ ମହାକାଳଙ୍କ ଦର୍ଶନ କରିବାକୁ ଯାଇଥିଲେ। ତେବେ ସେମାନେ ଦର୍ଶନ ନକରି ଫେରିଥିବା ବେଳେ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶନ କରିଥିବା ମନ୍ଦିର ପୂଜକ ଆଶିଷ ପୂଜାରୀ କହିଛନ୍ତି।
ମନ୍ତ୍ରୀ କହିଲେ: ଆଲିଆ-ରଣବୀରଙ୍କୁ କେହି ଅଟକାଇ ନାହାନ୍ତି
ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ତାରକା ଦମ୍ପତିଙ୍କୁ ମନ୍ଦିର ଯିବା ବେଳେ ଅଟକାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଓଲଟା ମନ୍ଦିର ପ୍ରଶାସନର ଅଧିକାରୀମାନେ ତାଙ୍କୁ ଭିତରକୁ ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ଗଣ୍ଡଗୋଳ ଆଶଙ୍କାରେ ସେମାନେ ଯିବାକୁ ଚାହିଲେ ନାହିଁ। ସେମାନଙ୍କୁ କେହି ଅଟକାଇ ନାହାନ୍ତି। ସେମାନଙ୍କ ପାଇଁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ‘ଲାଲ ସିଂହ ଚଢ଼ା’ ପରି ‘ବ୍ରାହ୍ମାସ୍ତ୍ର’କୁ ବୟକଟ୍ କରିବା ପାଇଁ ଏକ ପ୍ରଚାର ଅଭିଯାନ ଚାଲିଥିବା ଦେଖିବାକୁ ମିଳୁଛି। ତେଣୁ ବ୍ରହ୍ମାସ୍ତ୍ରର ଦଶା ଲାଲ୍ ସିଂହ ଚଢ଼ା ପରି ହେବା ଆଶଙ୍କାରେ ଅଭିନେତାମାନେ ଭୟଭୀତ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/f564sf65h4hf654hfs654hf65.jpg)