୨୦୨୦ ପରେ ଚାଲି ପାରିବ ନାହିଁ ୨୦ ବର୍ଷ ପୁରୁଣା ଟ୍ରକ, ବସ୍‌

ନୂଆଦିଲ୍ଲୀ: ସବୁ ବ୍ୟବସାୟିକ ଯାନଗୁଡ଼ିକର ଜୀବନସୀମା ୨୦ ବର୍ଷ ମଧ୍ୟରେ ସୀମିତ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ହେଉଛି ୨୦୦୦ ମହିସା ପୂର୍ବରୁ କିଣାଯାଇଥିବା ସବୁ ପ୍ରକାରର ବ୍ୟବସାୟିକ ଯାନ ଯଥା ଟ୍ରକ, ବସ୍‌, ଟାକ୍ସି ଆଦି ଆସନ୍ତା ୨୦୨୦ ମସିହା ପରେ ଆଉ ଚାଲି ପାରିବ ନାହିଁ । କିନ୍ତୁ ବ୍ୟକ୍ତିଗତ ଯାନଗୁଡ଼ିକ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ । ଏହାର ଅର୍ଥ ହେଉଛି ଫିଟନେସ ଥିଲେ ସବୁ ବ୍ୟକ୍ତିଗତ ଯାନ ରାସ୍ତାରେ ଚଳାଇହେବ । ଦେଶରେ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ବଢିଚାଲିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ବ୍ୟବସାୟିକ ଯାନଗୁଡ଼ିକର ଜୀବନସୀମା ସମ୍ପର୍କିତ ଏହି ନିଷ୍ପତ୍ତି ଖୋଦ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନିଆଯାଇଛି । ଏ ନେଇ ଶୁକ୍ରବାରଦିନ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିତି ଆୟୋଗ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଅର୍ଥ ଓ ପରିବେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ଲାଗୁ ହେଲେ ଗତ ୨୦୦୦ ମସିହା ପୂର୍ବରୁ ପଂଜୀକୃତ ଅତିକମରେ ୭ ଲକ୍ଷ ବ୍ୟବସାୟିକ ଯାନ ଆସନ୍ତା ୨୦୨୦ ପରେ ଅନଫିଟ ହୋଇଯିବେ, ଅର୍ଥାତ ରାସ୍ତାରେ ଗଡ଼ି ପାରିବେ ନାହିଁ । ତେବେ ଯେଉଁ ଲୋକମାନଙ୍କ ଯାନ ଅନଫିଟ ହୋଇଯିବ, ସେମାନେ ନୂଆ ଯାନ କିଣିଲେ ତାଙ୍କୁ ସରକାରଙ୍କ ତରଫରୁ ପ୍ରାୟ ୧୦ ପ୍ରତିଶତ ଟିକସ ରିହାତି ଦିଆଯିବ । ଆହୁରି ମଧ୍ୟ ପୁରୁଣା ଯାନକୁ ସ୍କ୍ରାପ ଦରରେ ବିକ୍ରି କଲେ ତାହା ଉପରେ ଜିଏସଟି ଲାଗୁ ନ କରିବା ପାଇଁ ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବକୁ ଜିଏସଟି କାଉନସିଲ ବୈଠକରେ ଆଗତ କରାଯିବ ।

ସମ୍ବନ୍ଧିତ ଖବର