୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ: ରାଷ୍ଟ୍ରପତି ରାମନାଥ କୋବିନ୍ଦ

୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ ବୋଲି ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନରେ ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

ଅଭିଭାଷଣ ଆରମ୍ଭ କରି ରାଷ୍ଟ୍ରପତି କହିଲେ: ୨୦୨୦ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବର୍ଷ। ୨୦୨୦ ହେଉଛି ଭାରତ ସ୍ୱାଧୀନତାର ୭୫ତମ ବର୍ଷ। ଆମେ ଏକତ୍ର କାମ କରିବା ଉଚିତ। ସମ୍ବିଧାନ ଆମର ପଥପ୍ରଦର୍ଶନ କରୁଛି। ଜାତୀୟ ସ୍ୱାର୍ଥକୁ ସର୍ବାଗ୍ରେ ରଖି ଦେଶବାସୀଙ୍କ ଆଶା ଓ ଆକାଙ୍‌କ୍ଷା ପୂରଣ କରିବା ଓ ସେମାନଙ୍କ ପାଇଁ ଅତ୍ୟାବଶକ ଆଇନ ପ୍ରଣୟନ କରିବା ନିମନ୍ତେ ସଂସଦ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ଠାରୁ ଆମ ସମ୍ବିଧାନ ଆଶା କରୁଛି।

ଭାରତର ସମୃଦ୍ଧି ନିମନ୍ତେ ଏହି ଦଶନ୍ଧି ହେଉଛି ଗୁରୁତ୍ୱପୂର୍ଣ୍ଣ। ୨୦୧୯ରେ ଗୁରୁତ୍ୱପୂର୍ଣ୍ଣ ଆଇନ୍‌ ପାରିତ ହୋଇଛି। ଏ ଦଶନ୍ଧିକୁ ଭାରତର ଦଶନ୍ଧି କରିବାକୁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ନୂଆ ଭାରତ ନିର୍ମାଣ ନିମନ୍ତେ ସରକାର ଜନାଦେଶ ପାଇଛନ୍ତି।

ନୂଆ ସରକାରଙ୍କ ଦ୍ୱାରା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଆଇନ୍‌ରେ ପରିଣତ କରାଇ ପ୍ରଥମ ସାତମାସରେ ପାର୍ଲାମେଣ୍ଟ୍‌ ରେକର୍ଡ କରିଛି। ପାରସ୍ପରିକ ଆଲୋଚନା ଏବଂ ବିତର୍କ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ସରକାର ସ୍ପଷ୍ଟ ମତ ପୋଷଣ କରିଛନ୍ତି।

ପାର୍ଲାମେଣ୍ଟ୍‌ର ଉଭୟର ଗୃହର ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଦ୍ୱାରା ସମ୍ବିଧାନର ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦ ହେବା କେବଳ ଐତିହାସିକ ନୁହେଁ, ଏହା ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ସମାନ ବିକାଶ ନିମନ୍ତେ ପଥ ଉନ୍ମୁକ୍ତ କରିଛି। ରାମଜନ୍ମଭୂମି ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଦେଶବାସୀ ଯେଉଁ ଭଳି ବିଜ୍ଞତାପୂର୍ବକ ଆଚରଣ ପ୍ରଦର୍ଶନ କଲେ ତାହା ପ୍ରଶଂସାଯୋଗ୍ୟ। ଗୁରୁ ନାନକ ଦେବ ଜିଙ୍କ ୫୫୦ତମ ପ୍ରକାଶ ପର୍ବ ଲାଗି ରେକର୍ଡ ସମୟ ମଧ୍ୟରେ ସରକାର କର୍‌ତାର୍‌ପୁର ସାହିବ କରିଡର୍‌ ନିର୍ମାଣ କରି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ।
ସେ ଆହୁରି କହିଲେ ଯେ ପରିଚ୍ଛନ୍ନ ଭାରତ ସରକାରଙ୍କର ଗୋଟାଏ ପ୍ରମୁଖ ଦୃଷ୍ଟିଭଙ୍ଗୀ। ଜଳ ଜୀବନ ମିସନ୍‌ ନିୟୁତ ନିୟୁତ ଲୋକଙ୍କୁ ଉପକୃତ କରାଉଛି।

‘ସିଏଏ’ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ସାକାର କରିଛି। ମୁଁ ଆନନ୍ଦିତ ଯେ ପାର୍ଲାମେଣ୍ଟ୍‌ର ଉଭୟ ଗୃହ ଦ୍ୱାରା ‘ସିଏଏ’ ଆଇନ୍‌ରେ ପରିଣତ ହେବାରୁ ଜାତିର ଜନକ ଗାନ୍ଧୀଙ୍କର ଆଶା ପୂର୍ଣ୍ଣ ହୋଇଛି। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଧାର୍ମିକ ଅତ୍ୟାଚାକୁ ଆମେ ନିନ୍ଦା କରୁଛନ୍ତି। ସମୁଚ୍ଚିତ ଆଇନ୍‌ଗତ ପ୍ରକ୍ରିୟା ଏବଂ ନିୟମାବଳୀ ଅନୁସରଣ କରିବାକୁ ଯେଉଁମାନେ ପ୍ରସ୍ତୁତ, ସେମାନଙ୍କୁ ନାଗରିକତା ଦେବାକୁ ଆମେ ଉନ୍ମୁକ୍ତ ରହିଛୁ। ସବୁ ଧର୍ମର ଲୋକଙ୍କୁ ନାଗରିକତା ମଞ୍ଜୁର କରିବା ପ୍ରକ୍ରିୟା ପୂର୍ବଭଳି ରହିଛି। ପ୍ରତିବାଦ ବେଳେ ହିଂସା ପ୍ରଦର୍ଶନ ଗଣତନ୍ତ୍ରକୁ ଦୁର୍ବଳ କରିପକାଏ।
ଏକଥା କହିବା ବେଳେ ସ୍ୱଳ୍ପ ସମୟ ଲାଗି ପାର୍ଲାମେଣ୍ଟ୍‌ ସେଣ୍ଟ୍ରାଲ୍‌ ହଲ୍‌ରେ ହଟ୍ଟଗୋଳ ହୋଇଥିଲା।

Image Courtesy of India Today

ଅଭିଭାଷଣ ଚାଲୁରଖି ରାଷ୍ଟ୍ରପତି କହିଲେ: ସରକାରଙ୍କ ସ୍ୱତନ୍ତ୍ର ଅନୁରୋଧକ୍ରମେ ବିନା ବାଧକରେ ସାଉଦି ଆରବ ହଜ୍‌ କ୍ୱୋଟା ବୃଦ୍ଧି କରିଛି। ଫଳରେ ଏଥର ରେକର୍ଡ ସଂଖ୍ୟକ ୨ ଲକ୍ଷ ଭାରତୀୟ ମୁସଲମାନ ହଜ୍‌ ଯାତ୍ରା କରିଛନ୍ତି। ଭାରତ ହେଉଛି ଏକ ମାତ୍ର ଦେଶ ଯେଉଁଠି ସମଗ୍ର ହଜ୍‌ ପ୍ରକ୍ରିୟା ଡିଜିଟାଲ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଉଛି।

ଭାରତକୁ ଡିଜିଟାଲ୍‌ ଦେଶ ଭାବେ ସରକାର ପ୍ରଚାର କରୁଛନ୍ତି। ଯୁବସମ୍ପ୍ରଦାୟଙ୍କ ମଧ୍ୟରେ ବାଣିଜ୍ୟକୁ ଉତ୍ସାହ ଦିଆଯାଉଛି। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ‘ଷ୍ଟାର୍ଟ-ଅପ୍‌ ଇକୋସିଷ୍ଟମ୍‌’।

ମହିଳା ସଶକ୍ତିକରଣ ଉପରେ ଏ ସରକାର ସବୁଠୁ ଅଧିକ ଧ୍ୟାନ ଦେଉଛନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ମାମଲାଗୁଡ଼ିକର ଫଏସଲା ନିମନ୍ତେ ସରକାର ୧୦୦୦ ଫାଷ୍ଟ୍‍ ଟ୍ରାକ୍‌ କୋର୍ଟ ସ୍ଥାପନ କରିବେ।

ବୈଦେଶିକ ବିନିମୟ ରିଜର୍ଭ ମଧ୍ୟ ରେକର୍ଡ ଉଚ୍ଚରେ ରହିଛି ଏବଂ ଏଫ୍‌ଡିଆଇ ମଧ୍ୟ ବଢ଼ିଛି। ୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ। ମେକ୍‌ ଇନ୍‌ ଇଣ୍ଡିଆରେ ସରକାର ରେଳବାଇ ଉପରେ ଧ୍ୟାନ ଦେଉଛନ୍ତି। ତେଜସ୍‌ ଏବଂ ବନ୍ଦେ ଭାରତ ଟ୍ରେନ୍‌ ଏହାର ଉଦାହରଣ। ଲୋକେ ସ୍ଥାନୀୟ ଏବଂ ଭାରତ ନିର୍ମିତ ଜିନିଷ ଖରିଦ କରିବା ଉଚିତ।

ବୋଡ଼ୋ ଅଞ୍ଚଳର ବିକାଶ ନିମନ୍ତେ ସରକାର ୧୫୦୦ କୋଟି ଟଙ୍କା ବ୍ୟୟ କରିବେ।

ସାମରିକ ବ୍ୟାପାର ବିଭାଗରେ ସିଡିଏସ୍‌ ପଦବୀ ସୃଷ୍ଟି କରିବ ଦ୍ୱାରା ତିନି ବାହିନୀ ମଧ୍ୟରେ ସମନ୍ଵୟ ଆଣିବା ସହ ଆଧୁନିକୀକରଣକୁ ତ୍ୱରିତ କରିବ। ଆତଙ୍କବାଦ ଦମନ କରିବାକୁ ମୋ ସରକାର ନିରାପତ୍ତା ବଳଙ୍କୁ କଟକଣା ରହିତ ଅଧିକାର ଦେଇଛନ୍ତି।

ସମ୍ବନ୍ଧିତ ଖବର