ଭାରତ ସ୍ୱାଧୀନତା ୭୫ ବର୍ଷ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ : ୨୫୯ ଜଣିଆ କମିଟିରେ ନବୀନଙ୍କ ସମେତ ୬ ଓଡ଼ିଆ ସାମିଲ

ନୂଆଦିଲ୍ଲୀ : ଦେଶ ଆସନ୍ତା ବର୍ଷ ସ୍ୱାଧୀନାତ ୭୫ ବର୍ଷ ପାଳନ କରିବ। ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ। କେନ୍ଦ୍ର ସରକାର ପକ୍ଷରୁ ଏଥିପାଇଁ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ ଜଣ ଓଡ଼ିଆ କମିଟିର ସଦସ୍ୟ ରୁପେ ସ୍ଥାନ ପାଇଛନ୍ତି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ, ଝାଡ଼ଖଣ୍ଡର ରାଜ୍ୟପାଳ ଦୌପର୍ଦି ମୂର୍ମୂ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ କମିଟିରେ ସ୍ଥାନ ପାଇଛନ୍ତି। ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, କେନ୍ଦ୍ର ମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜନୈତିକ ନେତା, ଆଧ୍ୟାତ୍ମିକ ନେତା, କ୍ରିଡ଼ାବିତ୍, ସାମାଜିକ କାର୍ଯ୍ୟକର୍ତ୍ତା, ଶିଳ୍ପୀ ତଥା ବିଭିନ୍ନ କ୍ଷେତ୍ରର ମାନ୍ୟଗଣ ବ୍ୟକ୍ତିମାନଙ୍କୁ ଜାତୀୟ କମିଟିରେ ସାମିଲ କରାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଣଳୟର ସଚିବ ରାଘବେନ୍ଦ୍ର ସିଂହ କମିଟିର ସଦସ୍ୟ ସଚିବ ରହିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ନିରୁପମା କୋତରୁଙ୍କ ଦ୍ୱାରା କମିଟି ଗଠନ ସମ୍ପର୍କୀତ ଗେଜେଟ୍ ନୋଟିଫିକେସନ ଜାରି କରାଯାଇଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୨ରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ। ଜାତୀୟ କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନୀତିଗତ ମାର୍ଗଦର୍ଶନ ପ୍ରଦାନ କରାଯିବ। ଦେଶ ସ୍ୱାଧୀନତାକୁ ନେଇ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଦେଶର ୭୫ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏନେଇ ପ୍ରତ୍ୟେକ ରାଜ୍ୟରୁ ୨-୩ ଟି ସ୍ଥାନର ନାମ ସଂସ୍କୃତି ମନ୍ତ୍ରାଣାଳୟକୁ ପଠାଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର