କମନ୍‌ୱେଲ୍‌ଥ ବୈଠକରେ ଘେରିଲା ଭାରତ, ସାମରିକ ଶାସନ ପାକିସ୍ତାନର ପରମ୍ପରା

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଏବେ କଶ୍ମୀର ଉପତ୍ୟକାରେ ମାନବାଧିକାର ଉଲ୍ଲଂଘନର ମିଥ୍ୟା ଅଭିଯୋଗ ଆଣି ବିଭିନ୍ନ ମଂଚରେ ଭାରତ ବିରୋଧରେ ବିଷୋଦ୍‌ଗାର କରୁଛି। ତେବେ ପାକିସ୍ତାନର ଏଭଳି ଅପପ୍ରଚାରକୁ ବିଶ୍ବବାସୀ ଠିକ୍‌ ଜାଣିଛନ୍ତି ଏବଂ ପାକିସ୍ତାନର ଅସଲ ଚରିତ୍ର କାହାକୁ ଅଛପା ନାହିଁ ବୋଲି ଆଜି ଭାରତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ବୈଠକରେ କହିଛି। ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ଆୟୋଜିତ ୬୪ତମ କମନ୍‌ୱେଲ୍‌ଥ ସଂସଦୀୟ ସଂଘ ବୈଠକରେ ଭାରତ ନିଜର ଯୁକ୍ତି ଉପସ୍ଥାପନ କରି କହିଛି ଯେ,ସାମରିକ ଶାସନ ପାକିସ୍ତାନର ପରମ୍ପରା ପାଲଟିଛି ଏବଂ ଗଣତନ୍ତ୍ର ଏକ ପ୍ରହସନ ପାଲଟିଯାଇଛି। ଦୀର୍ଘ ୩୩ ବର୍ଷ ଯେଉଁ ଦେଶରେ ସାମରିକ ଶାସନକୁ ଆପଣାଇଛି, ସେହି ଦେଶ ମାନବିକ ଅଧିକାର କଥା କହିବା ବନ୍ଦ କରୁ ବୋଲି ଭାରତ ପରାମର୍ଶ ଦେଇଛି। କାମ୍ପାଲାରେ ଆୟୋଜିତ କମନୱେଲ୍‌ଥ ସଂସଦୀୟ ବୈଠକରେ ପାକିସ୍ତାନ କାଶ୍ମୀର ଉପତ୍ୟକାରେ ମାତ୍ରାଧିକ ଭାରତୀୟ ସେନାର ଉପସ୍ଥିତି ସେଠାକାର ଜନସାଧାରଣଙ୍କୁ ଅଣନିଶ୍ବାସୀ କରିଥିବା କହିଛି। ସେଠାରେ ଜନସାଧାରଣଙ୍କୁ ଏକ ପ୍ରକାର ବନ୍ଦୀ କରି ରଖାଯାଇଛି ବୋଲି ପାକିସ୍ତାନ ଦାବି କରିବା ପରେ ଭାରତ ଏହାର କଡ଼ା ଜବାବ ଦେଇଥିଲା। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳରେ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ରୂପା ଗାଙ୍ଗୁଲି, ଏଲ୍‌. ହନୁମନ୍ଥେୟା ପ୍ରମୁଖ ସାମିଲ୍‌ ଅଛନ୍ତି।

ସମ୍ବନ୍ଧିତ ଖବର