ଗୁଜରାଟରେ ସାମ୍ପ୍ରଦାୟିକ ସଂଘର୍ଷ

ଭଦଦୋରା: ଦୀପାବଳି ଅବସରରେ ପାନିଗେଟ୍ ଅଞ୍ଚଳରେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଛି। ଏହି ଘଟଣାରେ ଭଦୋଦରା ପୁଲିସ ଦୁଇ ସମ୍ପ୍ରଦାୟର ୧୯ ଜଣଙ୍କୁ ଅଟକ ରଖିଛି। ଖବର ଅନୁଯାୟୀ, ବାଣ ଫୁଟାକୁ କେନ୍ଦ୍ର କରି ସହରର ସମ୍ବେଦନଶୀଳ ଅଞ୍ଚଳରେ ରାତି ୧୨.୪୫ରେ ଏହି ସାମ୍ପ୍ରଦାୟିକ ସଂଘର୍ଷ ଘଟିଥିଲା। ଏହାକୁ ନେଇ ଆଜି ମଧ୍ୟ ଉତ୍ତେଜନା ଲାଗି ରହିଥିବାରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ପୁଲିସର ସୂଚନାନୁସାରେ, ସଂଘର୍ଷ ଆରମ୍ଭ ହେବା ପରେ ଏକ କୋଠାର ତୃତୀୟ ମହଲାରୁ ପେଟ୍ରୋଲ ବୋମା ଫିଙ୍ଗା ଯାଇଥିଲା। ଏହା ପରେ ହିଂସା ବଢ଼ିଥିଲା । ଜନୈକ ପୁଲିସ ଅଧିକାରୀ କହିଛନ୍ତି ଯେ ଉଭୟ ପକ୍ଷ ପରସ୍ପର ଉପରେ ହାତ ବୋମା ଫିଙ୍ଗିଥିଲେ। ଏହା ସହିତ ଉଭୟ ପଟୁ ପ୍ରବଳ ପଥର ମାଡ଼ ହୋଇଥିଲା । ତେବେ ପୁଲିସ ବାହିନୀ ତତ୍କାଳ ପରିସ୍ଥିତିକୁ ନିୟନ୍ତ୍ରଣ କରିନେଇଥିଲେ। ଡିସିପି ଯଶପାଲ ଜଗାନିୟା କହିଛନ୍ତି ଯେ ଉପଦ୍ରବକାରୀମାନେ ଅନେକ ଗାଡିରେ ନିଆଁ ଲଗାଇବା ସହ ଦୋକାନଗୁଡିକ ଭଙ୍ଗାରୁଜା କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ଶାନ୍ତ କରିଥିଲା। ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ସଂଘର୍ଷର କାରଣ ଜାଣିବା ପାଇଁ ପୁଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ସ୍କାନ୍ କରୁଛି।

ସମ୍ବନ୍ଧିତ ଖବର