ନୂଆଦିଲ୍ଲୀ: ଏକ ସୋସିଆଲ ମିଡିଆ ପୋଷ୍ଟ୍କୁ ନେଇ ପୁଣେର ଦୌନ୍ଦ ତହସିଲ୍ର ୟବତ ଗ୍ରାମରେ ଆଜି ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି। ଜଣେ ଯୁବକ ଅନଲାଇନ୍ରେ କିଛି ଆପତ୍ତିଜନକ ଧର୍ମ ବିରୋଧୀ ପୋଷ୍ଟ୍ କରିବାରୁ ଏହି ହିଂସା ଉପୁଜିଛି। ଉକ୍ତ ପୋଷ୍ଟ୍କୁ ବିରୋଧ କରି ଅନ୍ୟ ଏକ ସମ୍ପ୍ରଦାୟର ସଦସ୍ୟମାନେ ହିଂସା ଆରମ୍ଭ କରିଦେଇଥିଲେ। ସେମାନେ ଅନ୍ୟ ସମ୍ପ୍ରଦାୟର ସମ୍ପତ୍ତିକୁ ଟାର୍ଗେଟ୍ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।
ପଥର ମାଡ଼, ମୋଟର ସାଇକେଲ୍ରେ ନିଆଁ ଲଗାଇ ଦେଲେ
ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୁଲିସ
ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ପୁଣେ (ରୁରାଲ୍) ଏସ୍ପି ସନ୍ଦୀପ ସିଂହ ଗିଲ୍ ଉକ୍ତ ଗ୍ରାମକୁ ଗସ୍ତ କରି ଲୋକମାନଙ୍କୁ ଶାନ୍ତ ରହିବାପାଇଁ ନିବେଦନ କରିଛନ୍ତି। ଆମେ ସ୍ଥିତି ଅନୁଧ୍ୟାନ କରୁଛୁ ଏବଂ ଲୋକମାନେ ଗୁଜବ ପ୍ରଚାର ନକରିବାପାଇଁ ଆମେ ଅନୁରୋଧ କରୁଛୁ ବୋଲି ସେ କହିଛନ୍ତି। ପୁଲିସ ଅନୁଯାୟୀ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକକୁ ଅଟକ ରଖାଯାଇଛି। ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ‘ କିଛି ଲୋକ ଆପତ୍ତିଜନକ ପୋଷ୍ଟ୍ କରି ଉଦ୍ଦେଶ୍ୟମୂଳକ ଭାବେ ଶାନ୍ତି ନଷ୍ଟ କରିବାପାଇଁ ଚେଷ୍ଟା କରୁଛନ୍ତି। କୌଣସି ଧର୍ମ ଓ ବିଶ୍ବାସକୁ ଆଘାତ ଦେବାପାଇଁ କାହାର ଅଧିକାର ନାହିଁ। ଏଭଳି କାର୍ଯ୍ୟକୁ ଆମେ ସହ୍ୟ କରିବୁନି ଏବଂ କଠୋର ପଦକ୍ଷେପ ନେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।