ନୂଆଦିଲ୍ଲୀ : ଭାରତର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁରେ କୋଭିଡ୍‌ ସଂକ୍ରମଣ ଅତି କ୍ଷୀପ୍ର ହୋଇଛି। ଦିଲ୍ଲୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆକଳନ କରାଯାଇଛି। ଓମିକ୍ରନ୍‌ଜନିତ ତୃତୀୟ ଲହର ଭୟ ଯୋଗୁଁ ଦିଲ୍ଲୀର ସମସ୍ତ ପଜିଟିଭ୍‌ ନମୁନା ଗୁଡ଼ିକୁ ଜିନୋମ୍‌ ସିକ୍ବେନ୍ସ ପାଇଁ ପଠାଯାଇଛି। ଦେଶରେ ୧୮ ପ୍ରତିଶତ ନମୂନା‌ରେ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୫୦ ପ୍ରତିଶତ ନମୁନାରେ ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି। ଦିଲ୍ଲୀରେ ଚଳିତ ମାସରେ ୯ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ଗତ ୪ ମାସ ମଧ୍ୟରେ ଏହା ସର୍ବାଧିକ। ଗୁରୁବାର ଦିଲ୍ଲୀରେ ୧୩୧୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୭ ମାସରେ ଏହା ସର୍ବାଧିକ।

Advertisment

ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୧୬,୭୬୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ସକ୍ରିୟ ମାମଲା ୯୧,୩୬୧ ରହିଥିବା ବେଳେ ଏହି ସଂଖ୍ୟା ରେ ୩ ଦିନ ହେଲା ବୃଦ୍ଧି ଦେଖିବାକୁ ମିଳିଛି।

ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨୦ ଓମିକ୍ରନ୍‌ ମାମଲା ରହିଛି। ଦେଶରେ ଆର୍‌ ଭାଲ୍ୟୁ ୧.୨୨ ରହିଛି। କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇରେ ଆର୍‌ ଭାଲ୍ୟୁ ୨ ଟପିଯାଇଛି। ବେଙ୍ଗାଲୁରୁ, ଚେନ୍ନାଇ ଏବଂ କୋଲକାତାରେ ମଧ୍ୟ ଆର୍‌ ଭାଲ୍ୟୁ ୧ ଉପରେ ରହିଛି। ଆର୍‌ ଭାଲ୍ୟୁର ଅର୍ଥ ହେଉଛି କେତେ କ୍ଷୀପ୍ର ଗତିରେ ସଂକ୍ରମଣ ବ୍ୟାପୁଛି କିମ୍ବା ଜଣେ ସଂକ୍ରମିତ ବ୍ୟକ୍ତି କେତେଜଣଙ୍କୁ ସଂକ୍ରମିତ କରୁଛନ୍ତି। ଆର୍‌ ଭାଲ୍ୟୁ ୧.୨୨ ରହିବାର ଅର୍ଥ ହେଉଛି ୧୦୦ ଜଣ ୧୨୨ ଜଣଙ୍କୁ ସଂକ୍ରମିତ କରିବା।

ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୮,୩୮,୮୦୪ ରହିଛି ଏବଂ ଗତ ୨୪ ଘଣ୍ଟାରେ ୨୨୦ ଜଣଙ୍କ କରୋନା ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୮୧,୦୮୦କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୦.୨୬ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୮.୩୬ ପ୍ରତିଶତ। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୮,୯୫୯ ବୃଦ୍ଧି ‌ହୋଇଛି। ଗତ ୮୮ ଦିନ ଧରି ‌ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି।

ମହାରାଷ୍ଟ୍ରରେ ବିପଜ୍ଜନକ ସ୍ଥିତି: ଦିନକରେ ୮,୦୬୭ ମାମଲା: ମୁମ୍ବାଇରେ ୫,୪୨୮ ମାମଲା

ମୁମ୍ବାଇ, : ମହାରାଷ୍ଟ୍ର ସ୍ଥିତି ବିଗିଡ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୮,୦୬୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୮ ଜଣଙ୍କର କ‌ରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୁମ୍ବାଇରେ କେବଳ ୫,୪୨୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ମୁମ୍ବାଇ ସଂକ୍ରମଣ ମାମଲାରେ ୪୭ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ରାଜ୍ୟର ଦୈନିକ ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଏସିଆର ସବୁଠୁ ବଡ଼ ବସ୍ତି ଧାରାବୀରେ ୩୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ଧାରାବୀରେ ସକ୍ରିୟ ମାମଲା ୯୫କୁ ବୃଦ୍ଧି ପାଇଛି। ଜନସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ମହାରାଷ୍ଟ୍ରରେ ମୋଟ୍‌ ୪୫୪ ଓମିକ୍ରନ୍‌ ମାମଲା ଚିହ୍ନଟ ହେଲାଣି। ଏଥି ମଧ୍ୟରୁ ୧୫୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ସଂକ୍ରମଣ ବଢ଼ିବାରୁ ମୁମ୍ବାଇ ପୁଲିସ ଆଜି ନୂଆବର୍ଷ ସନ୍ଧ୍ୟାରେ ଧାରା ୧୪୪ ଅଧୀନରେ କଟକଣା କଡ଼ାକଡ଼ି କରାଯାଇଛି।