ବେଙ୍ଗାଲୁରୁରେ ସାଂପ୍ରଦାୟିକ ହିଂସା, ୩ ମୃତ, ଶତାଧିକ ପୁଲିସ ଆହତ

ସହରା ସାରା କର୍ଫ୍ୟୁ, ସୋସିଆଲ ମିଡିଆ ପୋଷ୍ଟ୍‌କୁ ନେଇ ହିଂସା ବ୍ୟାପିଥିଲା

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ୍‌କୁ କେନ୍ଦ୍ର କରି ବେଙ୍ଗାଲୁରୁରେ ସାଂପ୍ରଦାୟିକ ହିଂସା ସୃଷ୍ଟି ହୋଇଛି। ଗତରାତିରେ ସହରର ୩୦ରୁ ଅଧିକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଉପସ୍ଥିତି ସତ୍ତ୍ବେ ଦଙ୍ଗାକାରୀମାନେ ୩୦୦ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି। ହିଂସାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। କର୍ଣ୍ଣାଟକର ଜଣେ ବିଧାୟକ ଅଖଣ୍ଡ ଶ୍ରୀନିବାସମୂର୍ତ୍ତିଙ୍କ ଜଣେ ସଂପର୍କୀୟ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରିବା ପରେ ଏହା ଭାଇରାଲ୍‌ ହୋଇଯାଇଥିଲା ଏବଂ ଏହାକୁ କେନ୍ଦ୍ର ବଡ଼ ହିଂସା ଦେଖିବାକୁ ମିଳିଥିଲା। କର୍ଣ୍ଣାଟକ ଗୃହମନ୍ତ୍ରୀ ବିଏସ୍‌ ବୋମାଇ ଏବଂ ଅନ୍ୟ ଜଣେ ମନ୍ତ୍ରୀ ସିଟି ରବି କହିଛନ୍ତି ଯେ ଏହି ସାଂପ୍ରଦାୟିକ ହିଂସା ସଂପୂର୍ଣ୍ଣ ସୁନିୟୋଜିତ । ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କିଛି ଲୋକ ସରକାରଙ୍କୁ ବଦନାମ କରିବାକୁ ହିଂସା ଭିଆଇଛନ୍ତି। ଉପଦ୍ରବକାରୀମାନେ ବ୍ୟାପକ ପୋଡ଼ାଜଳା କରିଥିବା ବେଳେ ପୁଲିସ ଷ୍ଟେସ୍‌ନକୁ ମଧ୍ୟ ଛାଡ଼ି ନାହାନ୍ତି। ଉପଦ୍ରବକାରୀଙ୍କୁ ଅଟକାଇବାକୁ ପ୍ରୟାସ କରି ପୁଲିସ ଗୁଳି ଚଳାଇଥିଲା ଏବଂ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ବେଙ୍ଗାଲୁରୁ ହିଂସାକୁ ନେଇ କଂଗ୍ରେସ ଏବେ ବିଜେପିକୁ ଟାର୍ଗେଟ୍‌ କରିଥିବା ବେଳେ ବିଜେପି ନେତାମାନେ ମଧ୍ୟ କଂଗ୍ରେସକୁ ଚେତାବନୀ ଦେଇ କୌଣସି ସଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ନ କରିବା ପାଇଁ କହିଛନ୍ତି। କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା କହିଛନ୍ତି ବେଙ୍ଗାଲୁରୁ ହିଂସା ନିନ୍ଦନୀୟ। ଏହା ୟେଦୁରପ୍ପା ସରକାରଙ୍କ ବିଫଳ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏକ ନଗ୍ନ ନମୁନା ବୋଲି ସେ କହିଛନ୍ତି। ପୁଲିସ ଏହି ମାମଲାରେ ପ୍ରାୟ ୧୪୫ ଉପଦ୍ରବକାରୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଡିଜେ ପୁଲିସ ଷ୍ଟେସନ୍‌ ନିକଟରେ ଏକ ମନ୍ଦିର ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ହୋଇଥିବା ଉଦ୍ୟମକୁ କିଛି ମୁସ୍‌ଲିମ ଯୁବକ ବିଫଳ କରିଦେଇଛନ୍ତି। ସେମାନେ ଏକଜୁଟ ହୋଇ ମାନବ ଶୃଙ୍ଖଳା ତିଆରି କରି ମନ୍ଦିରକୁ ସୁରକ୍ଷା ଦେଇଥିଲେ। ସାଂପ୍ରଦାୟିକ ସଦ୍‌ଭାବନାର ଏଭଳି ଉଦାହରଣକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ବିଭିନ୍ନ ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ବ୍ୟପକ ପୁଲିସ ମୁତୟନ ହୋଇଛନ୍ତି। ସମଗ୍ର ସହରରେ ଧାରା ୧୪୪ ଲାଗୁ କରାଯାଇଛି। ସମ୍ବେଦନଶୀଳ ଅଂଚଳଗୁଡ଼ିକ ପ୍ରତି ସ୍ବତନ୍ତ୍ର ନଜର ରଖାଯାଇଛି। ରୢାପିଡ୍‌ ଆକ୍ସନ ଫୋର୍ସ, ସିଆର୍‌ପିଏଫ୍‌ ଏବଂ ସିଆଇଏସ୍‌ଏଫ୍‌ ଯବାନ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର