ନୂଆଦିଲ୍ଲୀ: ରବିବାର ରାମନବମୀ ଶୋଭାଯାତ୍ରାକୁ ନେଇ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଛି। ଗୁଜରାଟର ଖଂଭାତ (କାମ୍ବେ) ସହରରେ ଜଣେ ଲୋକର ମୃତ୍ୟୁ ଘଟିଛି। ରାମନବମୀ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣାକୁ ନେଇ ଦୁଇ ସମ୍ପ୍ରଦାୟ ଭିତରେ ସଂଘର୍ଷ ଉପୁଜିବା ପରେ ମଧ୍ୟପ୍ରଦେଶର ଖାରଗୋନ ସହରରେ ୧୪୪ ଧାରା ଜାରି କରାଯାଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ବି ଅନୁରୂପ ହିଂସା ଦେଖିବାକୁ ମିଳିଛି। ଗୁଜରାଟର ଖଂଭାତ ହିଂସାକାଣ୍ଡରେ ଜଣେ ୬୫ ବର୍ଷ ବୟସ୍କ ଲୋକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ଭିତରେ ଟେକାପଥର ମାଡ଼ ଚାଲିବା ସହ କେତେକ ଦୋକାନରେ ବି ନିଆଁ ଲଗାଇ ଦିଆଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଛି। ହିମ୍ମତନଗରରେ ଗୋଷ୍ଠୀ ସଂଘର୍ଷରେ ଅନେକ ଗାଡ଼ିଘୋଡ଼ା ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି।

Advertisment

ମଧ୍ୟପ୍ରଦେଶର ଖାରଗୋନଠାରେ ରାମନବମୀ ଶୋଭାଯାତ୍ରାକୁ ନେଇ ଟେକାପଥର ମାଡ଼ ଚାଲିଥିବା ବେଳେ ପୁଲିସ ପହଞ୍ଚି ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। କେତେକ ଗାଡ଼ି ଓ ଘରେ ନିଆଁ ଲଗାଇ ଦିଆଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ହିଂସାକାଣ୍ଡରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଇ ପୁଲିସ ବି ଆକ୍ରମଣର ଶିକାର ହୋଇ ଆହତ ହୋଇଛି। ଏହାପରେ ଖାରଗୋନ ଅଞ୍ଚଳରେ ସୋମବାର କର୍ଫ୍ୟୁ ଜାରି କରାଯାଇଛି। ମେଡିକାଲ ଇମର୍ଜେନ୍ସି ବିନା କୌଣସି ଲୋକ ଘରୁ ନ ବାହାରିବା ପାଇଁ ଘୋଷଣା କରାଯାଇଛି।

ରବିବାର ପଶ୍ଚିମବଙ୍ଗର ହାଓଡ଼ାରେ ରାମନବମୀ ଉପଲକ୍ଷେ ରାମଭକ୍ତମାନେ ଶୋଭାଯାତ୍ରା କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ଅପରପକ୍ଷେ ବିଜେପି ଅଭିଯୋଗ କରିଛି ଯେ, ଶୋଭାଯାତ୍ରା ଉପରେ ପୁଲିସ ଦ୍ବାରା ହିଁ ଆକ୍ରମଣ କରାଯାଇଥିଲା। ଝାଡ଼ଖଣ୍ଡର ବୋକାରୋରେ କେତେକ ଯୁବକ ରାମନବମୀ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ବାଇକରେ ଯିବା ବେଳେ ସେମାନଙ୍କ ଉପରେ ଟେକାପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ କହିଛି ଯେ ଆପୋସ ବୁଝାମଣା ଭିତରେ ସମସ୍ୟାର ସମାଧାନ ହୋଇଛି ଓ ଶାନ୍ତି ଫେରାଇ ଅଣାଯାଇଛି। ଲୋହାରଡାଗାଠାରେ ରାମନବମୀ ଶୋଭାଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷରେ ଚାରିଜଣ ଲୋକ ଆହତ ହେବା ସହ ଗୋଟିଏ ମଟର ସାଇକେଲ ଓ ଗୋଟିଏ ପିକ୍‌-ଅପ୍ ଭ୍ୟାନ୍‌କୁ ପୋଡ଼ିଦିଆ ଯାଇଛି। ଭିନ୍ନ ସମ୍ପ୍ରଦାୟର ଲୋକମାନେ ପ୍ରଥମେ ଆକ୍ରମଣ କରିବା ପରେ ଶୋଭାଯାତ୍ରାକାରୀମାନେ ପାଲଟା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଶାନ୍ତିରକ୍ଷା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଯେଉଁମାନେ ହିଂସା ଭିଆଇବାରେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି ହୋଇଛି।