ବେୱାର: ରାଜସ୍ଥାନର ବେୱାର ଜିଲ୍ଲା ଏବେ ସାମ୍ପ୍ରଦାୟିକ ଉତ୍ତେଜନାର ଶିକାର ହୋଇଛି। ୱାଲେଟ୍‌ରୁ ୨୦ ଟଙ୍କା ହଜିବା ପରେ ଏହି ଘଟଣା ଆରମ୍ଭ ହୋଇଛି। ତେବେ ଘଟଣାର ୧୦ ଦିନ ମଧ୍ୟରେ ରାଜସ୍ଥାନର ଏହି ଜିଲ୍ଲାର ଏକ ସହରରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ହିନ୍ଦୁ ଝିଅମାନଙ୍କୁ ଶୋଷଣ କରିବା ଅଭିଯୋଗରେ ମୁସଲମାନ ସମ୍ପ୍ରଦାୟର ୧୧ ଜଣଙ୍କୁ ଗିରଫ କରାଯାଇଛି। 
ଏହି ପୂରା ଘଟଣାରେ ପୁଲିସ ଏବେ ବି ପ୍ରମାଣ ଖୋଜୁଛି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ମଧ୍ୟ ଏଥିରେ ସାମିଲ ହୋଇଛି। ରାଜ୍ୟପାଳ ହରିବାଉ ବାଗଡ଼େ କହିଛନ୍ତି, ଝିଅମାନେ ଏକ ହିନ୍ଦୁ ସଂଗଠନ ସହ ଜଡ଼ିତ ଥିବାରୁ ସେମାନଙ୍କୁ ଟାର୍ଗେଟ୍ କରାଯାଇଥିଲା। ଅଭିଯୁକ୍ତଙ୍କ ପରିବାର ଓ ସ୍ଥାନୀୟ ଜାମା ମସଜିଦକୁ ଜବରଦଖଲ ନୋଟିସ୍ ଜାରି କରାଯାଇଛି ଏବଂ ପ୍ରାୟତଃ ଶାନ୍ତିଶୃଙ୍ଖଳାରେ ରହୁଥିବା ଏକଲକ୍ଷ ଜନସଂଖ୍ୟାବିଶିଷ୍ଟ ଏହି ସହରରେ ହିଂସା ଆଶଙ୍କା ଦେଖାଦେଇଛି। ଏକ ମୂଳ ଅଭିଯୋଗରେ ପରିବାର ଲୋକ କହିଛନ୍ତି ଯେ, ଯେତେବେଳେ ଝିଅର ବାପା ଦେଖିଲେ ତାଙ୍କ ୱାଲେଟ୍‌ରୁ ଟଙ୍କା ନିଆଯାଇଛି, ସେତେବେଳେ ଏହି ସୂଚନା ସାମନାକୁ ଆସିଥିଲା। ସେ ତାଙ୍କ ଝିଅକୁ ପଚାରିବାରୁ ସେ ଟଙ୍କା ନେଇଥିବା ସ୍ବୀକାର କରିଥିଲେ।

Advertisment

ପରେ ମା’ ତାଙ୍କ ସ୍କୁଲ୍ ବ୍ୟାଗ୍‌ରୁ ଏକ ଫୋନ୍ ପାଇଥିଲେ, ଯେଉଁଥିରେ ସେ ଜଣେ ମୁସଲମାନ ଯୁବକଙ୍କ ସହ ଚାଟିଂ କରୁଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ,  ନାବାଳିକା ଜଣକ ଅନ୍ୟ ଜଣେ ମୁସଲମାନ ଯୁବକ ସଂସ୍ପର୍ଶରେ ଆସିଥିଲେ।  ଏହି ଘଟଣା ପରେ ଅନ୍ୟ କେତକ ଝିଅଙ୍କ ପରିବାର ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। କିଛି ମୁସ୍‌ଲିମ ଯୁବକ ସେମାନଙ୍କ ସମ୍ପର୍କର ଫଟୋ ଉଠାଇ ସମ୍ପର୍କ ବଜାୟ ରଖିବାକୁ ସେମାନଙ୍କୁ ବ୍ଲାକ୍‌ମେଲ୍ କରୁଥିବା ଝିଅମାନେ କହିଥିଲେ।। 

ଫେବ୍ରୁଆରି ୧୬ ତାରିଖରେ ଦୁଇଜଣ ମୁସଲମାନ ଯୁବକ ଝିଅମାନଙ୍କୁ ଯୌନ ଶୋଷଣ କରିବା ସହ ସେମାନଙ୍କୁ ଧର୍ମାନ୍ତରିତ କରିବାକୁ ଉଦ୍ୟମ କରୁଥିବା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପରେ ସେହି ଅଞ୍ଚଳର ଆଉ ୩ ଜଣ ନାବାଳିକାଙ୍କ ପରିବାର ମଧ୍ୟ ଅନ୍ୟ ୩ ଜଣ ଯୁବକଙ୍କ ବିରୋଧରେ ସମାନ ଏତଲା ଦେଇଥିଲେ। ଏହିପରି ମାମଲା ସଂଖ୍ୟା ବୃଦ୍ଧି ପାଇବା ସହ ଅଭିଯୋଗ ଭିତ୍ତିରେ   ୧୧ ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ହେପାଜତକୁ ନିଆଯାଇଥିବା ବେଳେ ୩ ଜଣ ନାବାଳକମାଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି ବୋଲି ଡିଏସ୍‌ପି ସଜ୍ଜନ ସିଂହ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କ ଫୋନରେ କୌଣସି ଆପତ୍ତିଜନକ ଫଟୋ ପାଇ ନ ଥିବା ବେଳେ ଏହାକୁ ଫରେନ୍ସିକ୍ ଲାବୋରେଟୋରିକୁ ପଠାଇଛି। ତେଣେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଜାମା ମସଜିଦ ଓ ସ୍ଥାନୀୟ କବରସ୍ଥାନ କର୍ତ୍ତୃପକ୍ଷଙ୍କୁ ମୋଟ ୧୦ଟି ନୋଟିସ୍ ପଠାଇ ସେମାନଙ୍କ କବ୍‌ଜାରେ ଥିବା ଜମିର ମାଲିକାନା ପ୍ରମାଣ ଦେବାକୁ କହିଛନ୍ତି। ଅନ୍ୟପକ୍ଷରେ ମୁସଲମାନ ପରିବାରଗୁଡ଼ିକ କହିଛନ୍ତି ଯେ ସେମାନଙ୍କୁ ଧମକଚମକ ଦିଆଯାଉଛି। ଏହିସବୁ ଘଟଣାକୁ ନେଇ ଉକ୍ତ ସହର ଏବେ ବାରୁଦଗଦା ଉପରେ ଠିଆ ହୋଇଥିବା କୁହାଯାଉଛି।