ମସ୍କୋ: କ୍ରିମିଆରୁ ରୁଷ୍‌କୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍‌ ତଥ‌ା କେର୍ଚ ବ୍ରିଜ୍‌ରେ ଆଜି ଭୟଙ୍କର ବିସ୍ଫୋରଣ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌ ସେନା ଖେରସନ ଏବଂ ଜାପୋରିଝିଆରେ ଏହାର ସେନାବାହିନୀକୁ ସାମରିକ ଉପକରଣ ଯୋଗାଣ ପାଇଁ ଏହି ବ୍ରିଜ୍‌ ବ୍ୟବହାର କରୁଥିଲା। ବିସ୍ଫୋରଣ ଯୋଗୁଁ ବ୍ରିଜ୍‌ର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। କ୍ରିମିଆ ଏବଂ ରୁଷ୍‌ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବ୍ରିଜ୍‌ରେ ଟ୍ରକ୍‌ ବୋମା ବିସ୍ଫୋରଣ ହୋଇ ବ୍ୟାପକ ଅଗ୍ନିକାଣ୍ଡ ହୋଇଛି ଏବଂ କେର୍ଚ ବ୍ରିଜ୍‌ ଅତି ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି ‌ବୋଲି ରୁଷ୍‌ ଘୋଷଣା କରିଛି। ଏହି ବିସ୍ଫୋରଣ ଯୋଗୁଁ ଟ୍ରେନ୍‌ ଦ୍ବାରା ଯାଉଥିବା ୭ଟି ତୈଳ ଟ୍ୟାଙ୍କ୍‌ରେ ନିଆଁ ଲାଗିଯାଇଥିଲା। ଏହି ବିଶାଳ ସଡ଼କ ଏବଂ ରେଳ ଭିତ୍ତିଭୂମିର ୨ଟି ଲେନ୍‌ ଭୁଶୁଡ଼ି ପଡ଼ିଛି।

Advertisment

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୧୮ରେ ଏହି ବ୍ରିଜ୍‌ ଉଦ୍‌ଘାଟନ କରିଥିଲେ। ୟୁକ୍ରେନ୍‌ରେ ଯୁଦ୍ଧ ଲଢ଼ୁଥିବା ରୁଷ୍‌ ସୈନିକଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା କ୍ଷେତ୍ରରେ ଏହା ଜୀବନରେଖା ଭଳି କାମ କରୁଥିଲା। ରୁଷ୍‌ର ତଦନ୍ତକାରୀ କମିଟି ଏହି ବିସ୍ଫୋରଣ ଘଟଣାର ଅପରାଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମାଇକୋଲେବ, ‌ଜାପୋରିଝିଆରେ ଥିବା ରୁଷ୍‌ ସୈନିକଙ୍କୁ ସମୁଦ୍ର ପଥ ଏବଂ ଆକାଶ ପଥ ଦେଇ ଯୋଗାଣ ଜାରି ରହିବ ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ବିସ୍ଫୋରଣ ପଛରେ ୟୁକ୍ରେନ୍‌ ସେନାର ହାତ ଥିବା କୁହାଯାଉଛି ।