ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ-୨୦୨୪ ପାଇଁ ଜୋରସୋରରେ ଭୋଟିଂ ଚାଲିଛି। ଗୋଟିଏ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଥିବା ବେଳେ ଆଜି ଅର୍ଥାତ ଏପ୍ରିଲ ୨୬ ତାରିଖ ଶୁକ୍ରବାର ୮୦ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଚାଲିଛି। ଆହୁରି ୫ଟି ପର୍ଯ୍ୟାନରେ ଭୋଟ ହେବାକୁ ବାକି ରହିଛି।
ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ସମେତ ବିଭିନ୍ନ ସଂସ୍ଥା ଅଧିକରୁ ଅଧିକ ଭୋଟରଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରୁଛନ୍ତି। ଏହି କ୍ରମରେ ବିଭିନ୍ନ କମ୍ପାନି ଏବଂ ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି।
ଲୋକଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରିବା ପାଇଁ ଅନେକ କମ୍ପାନି ଏବଂ ବ୍ୟବସାୟୀ ସ୍ୱତନ୍ତ୍ର ଅଭିଯାନ ଚଳାଇଛନ୍ତି। ଭୋଟରଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଏବଂ ସେବା ଉପରେ କମ୍ପାନି ରିହାତି ପ୍ରଦାନ କରୁଛି।
ଭୋଟରଙ୍କୁ ଦେଉଥିବା ଅଫର ତାଲିକାରେ ବିମାନ କମ୍ପାନି ଏୟାର ଇଣ୍ଡିଆ ଏକ୍ସପ୍ରେସ ବି ରହିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ୧୮ ରୁ ୨୨ ବର୍ଷ ବୟସର ଭୋଟରଙ୍କୁ ଭୋଟ୍ ଦେବା ପାଇଁ ସେମାନଙ୍କ ଭଡା ଉପରେ ବିଶେଷ ରିହାତି ପ୍ରଦାନ କରୁଛି ।
କୌଣସି ଭୋଟର ପ୍ରଥମଥର ଭୋଟ୍ ଦେବାକୁ ଯଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀକୁ ଯିବାକୁ ଚାହାଁନ୍ତି, ତେବେ ଉକ୍ତ ଭୋଟର ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଭଡ଼ାରେ ୧୯ପ୍ରତିଶତ ରିହାତିର ଲାଭ ଉଠାଇ ପାରିବେ। ଏହି ରିହାତି ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ବିମାନରେ ଉପଲବ୍ଧ ରହିଛି।
ହିପରି ବୈଦ୍ୟୁତିକ ଯାନ ଚାଳନା ସେବା ଯୋଗାଉଥିବା ବ୍ଲୁସ୍ମାର୍ଟ କମ୍ପାନି ଭୋଟରଙ୍କ ପାଇଁ ଯାତାୟାତରେ ରିହାତି ଘୋଷଣା କରିଛି। ଦିଲ୍ଲୀ ଏବଂ ବେଙ୍ଗାଲୁରୁର ଭୋଟରମାନେ ମତଦାନ କେନ୍ଦ୍ରକୁ ଯିବା କିମ୍ବା ସେଠାରୁ ଫେରିବା ସମୟରେ ଯଦି ବ୍ଲୁସ୍ମାର୍ଟ କମ୍ପାନିର ଗାଡ଼ି ବ୍ୟବହାର କରନ୍ତି ତେବେ ସେମାନଙ୍କୁ ଯାତ୍ରାର ଭଡ଼ା ଦେବାକୁ ପଡ଼ିବ ନାହିଁ। ଏଥିସହିତ ଭୋଟ ଦେଇ ଆସିଲେ ଅନେକ ରେସ୍ତୋରାଁ ଓ ହୋଟେଲ ବି ଭୋଟଙ୍କୁ ସେମାନଙ୍କ ଖାଦ୍ୟପାନୀୟରେ ବିଶେଷ ରିହାତି ପ୍ରଦାନ କରୁଛନ୍ତି।