ନୂଆଦିଲ୍ଲୀ: ତାମିଲନାଡୁ ଶିଳ୍ପ ମନ୍ତ୍ରୀ ଟିଆର୍ବି ରାଜା ତାମିଲନାଡୁ ଓ ଉତ୍ତର ଭାରତରେ ମହିଳାମାନଙ୍କ ସାମାଜିକ ଦୃଷ୍ଟିକୋଣ ସଂକ୍ରାନ୍ତରେ ଏକ ତୁଳନା କରି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଏଥିରାଜ ମହିଳା ମହାବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରି ଟିଆର୍ବି ରାଜା କହିଛନ୍ତି,‘ତାମିଲନାଡୁରେ ମହିଳା ହେବା ଏବଂ ଭାରତର ଅନ୍ୟ କୌଣସି ରାଜ୍ୟରେ ମହିଳା ହେବା ମଧ୍ୟରେ ପାର୍ଥକ୍ୟ ଅଛି। ୧୦୦ ବର୍ଷ ପୂର୍ବେ ଭାରତୀୟ ମହିଳାଙ୍କୁ ମଣିଷ ବୋଲି ବିବେଚନା କରାଯାଉନଥିଲା। ଉତ୍ତର ଭାରତରେ ପରିସ୍ଥିତି ଅପରିବର୍ତ୍ତିତ ରହିଛି। ଉତ୍ତର ଭାରତରେ, ଯେତେବେଳେ ଆମେ ଜଣେ ମହିଳାଙ୍କୁ ଭେଟୁ, ସେଠାରେ ପ୍ରଥମ ପ୍ରଶ୍ନ ହେଉଛି, ତୁମ ସ୍ୱାମୀ କେଉଁଠି କାମ କରନ୍ତି। ତାମିଲନାଡୁରେ, ଜଣେ ମହିଳାଙ୍କୁ ପଚରାଯାଉଥିବା ପ୍ରଶ୍ନ ହେଉଛି, ତୁମେ କେଉଁଠି କାମ କର। ଏହି ପରିବର୍ତ୍ତନ ରାତାରାତି ଘଟି ନାହିଁ। ଏଥିରେ ଏକ ଶତାବ୍ଦୀର କାମ ରହିଛି। ରାଜାଙ୍କ ମନ୍ତବ୍ୟକୁ ଡିଏମ୍କେର ବରିଷ୍ଠ ନେତା ଟିକେଏସ୍ ଏଲାଙ୍ଗୋଭାନ ସମର୍ଥନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତର ଭାରତରେ ମହିଳାମାନେ ଧାର୍ମିକ ପ୍ରଥା ଯୋଗୁଁ ପ୍ରାୟତଃ ଗୃହିଣୀ ହେବା ପର୍ଯ୍ୟନ୍ତ ସୀମିତ ରୁହନ୍ତି। ସେମାନେ ମନୁସ୍ମୃତିକୁ ଅନୁସରଣ କରନ୍ତି, ଯାହା ଆମେ କରୁନାହୁଁ। ଡିଏମ୍କେ ସରକାର ସର୍ବଦା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାମ କରିଆସିଛି।
ଏହି ମନ୍ତବ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି। ଦଳର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏକ୍ସରେ ଲେଖିଛନ୍ତି, ‘ପୁଣି ଥରେ, ଡିଏମ୍କେ ସୀମା ଲଙ୍ଘନ କରି ୟୁପି, ବିହାର ଏବଂ ଉତ୍ତର ଭାରତକୁ ଅପମାନିତ କରୁଛି। କଂଗ୍ରେସ ବିହାରକୁ ବିଡ଼ି ବୋଲି କହିଲା, ରେବନ୍ତ ରେଡ୍ଡୀ ବିହାରର ଡିଏନ୍ଏକୁ ନିନ୍ଦା କରି ବୟାନ ଦେଲେ , ଏବେ ଡିଏମକେ ନେତା ବିହାରୀ ଏବଂ ୟୁପି ମହିଳାଙ୍କ ଅପମାନ କରୁଛନ୍ତି। ତେଜସ୍ୱୀ ଯାଦବ କାହିଁକି ଚୁପ୍ ଅଛନ୍ତି।’ ତେଲେଙ୍ଗାନାର ପୂର୍ବତନ ବିଜେପି ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଏହି ବୟାନକୁ କଡ଼ା ସମାଲୋଚନା କରି କହିଛନ୍ତି, ଏହା ଡିଏମ୍କେର ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଉଛି। ଆପଣ ଧର୍ମକୁ ପ୍ରଗତି ସହିତ କିପରି ମିଶ୍ରଣ କରିପାରିବେ। ଡିଏମ୍କେ ମହିଳାଙ୍କ ସହିତ ଭେଦଭାବ କରୁଛି। ତାମିଲନାଡୁର ମହିଳାମାନେ ମଧ୍ୟ ଏହାକୁ ଗ୍ରହଣ କରିବେ ନାହିଁ। ଏହା ଦୁର୍ଭାଗ୍ୟଜନକ। ଲୋକମାନେ ଡିଏମ୍କେକୁ ଦଣ୍ଡ ଦେବା ଉଚିତ। ଆପଣ କିପରି ଜଣେ ମା’ଙ୍କ ସହ ଭେଦଭାବ କରିପାରିବେ। ତେବେ ଏହା ପ୍ରଥମ ଥର ନୁହେଁ ଏହି ବର୍ଷ ଆରମ୍ଭରେ ଅନ୍ୟ ଏକ ଘଟଣାରେ, ତାମିଲନାଡୁର ବରିଷ୍ଠ ମନ୍ତ୍ରୀ ଦୁରାଇ ମୁରୁଗାନ ଉତ୍ତର ଭାରତୀୟ ସଂସ୍କୃତିରେ ବହୁବିବାହ ଅଭିଯୋଗ କରି ଉତ୍ତେଜନା ସୃଷ୍ଟି କରିଥିଲେ।
ମାର୍ଚ୍ଚ ମାସରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ମୁରୁଗାନ କହିଥିଲେ, ଆମ ସଂସ୍କୃତିରେ ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ବିବାହ କରନ୍ତି। କିନ୍ତୁ ଉତ୍ତର ଭାରତରେ, ଜଣେ ମହିଳା ପାଞ୍ଚ କିମ୍ବା ଦଶ ଜଣ ପୁରୁଷଙ୍କୁ ବିବାହ କରିପାରିବେ। ଏହା ସହିତ, ପାଞ୍ଚ ଜଣ ପୁରୁଷ ଗୋଟିଏ ମହିଳାଙ୍କୁ ବିବାହ କରିପାରିବେ। ଏହା ସେମାନଙ୍କର ସଂସ୍କୃତି। ଯଦି ଜଣେ ଯାଏ, ତେବେ ଆଉ ଜଣେ ଆସିବ।