କରୋନାରେ ଅନାଥ ଶିଶୁମାନଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ

ମିଳିବ ୫୦ ହଜାର ଟଙ୍କା, ଅନାଥଙ୍କ ନିକଟରେ ପହଞ୍ଚିବେ ଅଧିକାରୀ

ନୂଆଦିଲ୍ଲୀ : ଭାରତରେ ୧୦ ହଜାର ଶିଶୁ କୋଭିଡ୍-୧୯ ମହାମାରୀରେ ଉଭୟ ମାତାପିତାଙ୍କୁ ହରାଇଛନ୍ତି। ଅନାଥ ହୋଇଥିବା ଏହି ଶିଶୁମାନଙ୍କୁ କ୍ଷତିପୂରଣ ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୌରବ କୁମାର ବନ୍‌ସଲ ବନାମ ଭାରତ ସରକାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି , ଅନାଥ ଶିଶୁମାନେ କ୍ଷତିପୂରଣ ଦାବି କରିବା ସ୍ଥିତିରେ ନଥିବେ। ତେଣୁ ରାଜ୍ୟର ଅଧିକାରୀମାନେ ସେମାନଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ। ‘ବାଲ ସ୍ବରାଜ’ ପୋର୍ଟାଲରେ ରାଜ୍ୟମାନଙ୍କ ଦ୍ବାରା ଅପଲୋଡ୍‌ କରାଯାଇଥିବା ତଥ୍ୟ ଅନୁସାରେ ଦେଶରେ ୧୦ ହଜାର ଶିଶୁ ଅନାଥ ହୋଇଛନ୍ତି। ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ସୁପ୍ରିମକୋର୍ଟଙ୍କୁ ଏହା ଅବଗତ କରାଇଛନ୍ତି। ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବିଚାରପତି ଜଷ୍ଟିସ୍‌ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଲେ, ତଥ୍ୟ ଅନୁସାରେ ଦେଶରେ ପ୍ରାୟ ୧୦ ହଜାର ଶିଶୁ ଉଭୟ ମାତାପିତାଙ୍କୁ ହରାଇଛନ୍ତି। ସେମାନେ ଏଥି ପାଇଁ ଆବେଦନ କରିବା କିମ୍ବା କ୍ଷତିପୂରଣ ଦାବି କରିବା ବହୁତ କଷ୍ଟକର ବ୍ୟାପାର ହେବ। ଯେଉଁ ଶିଶୁମାନେ ଅନାଥ ହୋଇଛନ୍ତି ସେମାନଙ୍କ ନିକଟରେ ଅଧିକାରୀମାନେ ପହଞ୍ଚନ୍ତୁ ବୋଲି ସଂପୃକ୍ତ ରାଜ୍ୟମାନଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସଂପୃକ୍ତ ରାଜ୍ୟମାନଙ୍କୁ ପୋର୍ଟାଲରେ ଅପଲୋଡ ହୋଇଥିବା ବିବରଣୀକୁ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର