ଆକାଶ ଛୁଇଁବାକୁ ପ୍ରତିଯୋଗିତା

ଉଚ୍ଚତମ ବିଧାନସଭା ନିର୍ମାଣ କରିବ ଆନ୍ଧ୍ର ପଟେଲ୍‌ଙ୍କ ପ୍ରତିମୂର୍ତ୍ତିଠୁ ୬୮ ମିଟର ଅଧିକ ଉଚ୍ଚ

ବିଜୟୱାଡ଼ା: ସ୍ବାଧୀନତା ପରେ ଦେଶକୁ ଏକତା ଓ ଅଖଣ୍ଡତାର ରଜ୍ଜୁରେ ବାନ୍ଧିରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସର୍ଦ୍ଦାର ବ‌ଲ୍ଲଭ ଭାଇ ପଟେଲ୍‌ଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ଗୁଜରାଟର ନର୍ମଦା ସରୋବର୍‌ ଡ୍ୟାମ୍‌ରେ ଗଢ଼ିଉଠିଛି। ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନାମରେ ପରିଚିତ ବିଶ୍ବର ଏହି ଉଚ୍ଚତମ ପ୍ରତିମୂର୍ତ୍ତି ବେଶ୍‌ ପ୍ରସିଦ୍ଧିଲାଭ କରିଛି। ଚୀନ୍‌ର ସ୍ପ୍ରିଙ୍ଗ୍ ଟେମ୍ପଲ୍‌ ବୁଦ୍ଧ ଓ ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିକୁ ପଛରେ ପକାଇଥିବା ଭାରତର ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଛୁଟିଆସୁଛନ୍ତି। ଫଳରେ ସହର ଆଢୁଆଳରେ ଲୁଚିଯାଇଥିବା ନର୍ମଦା ସରୋବର ଡ୍ୟାମ୍‌ ଏବେ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାଲଟିଛି। ତେବେ ଏହି ନଭଶ୍ଚୁମ୍ବୀ ପ୍ରତିମୂର୍ତ୍ତିକୁ ନେଇ ଏବେ ଭାରତରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମୋଦୀ ସରକାରଙ୍କ ଏହି ସ୍ବପ୍ନର ପ୍ରକଳ୍ପଠାରୁ ଆହୁରି ଅଧିକ ଉଚ୍ଚତାବିଶିଷ୍ଟ ଢାଞ୍ଚା ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଅଣ୍ଟା ଭିଡ଼ିଛନ୍ତି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ନୂଆ ବିଧାନସଭା କୋଠା ନିର୍ମାଣ ପାଇଁ ଯୋଜନା କରିଛନ୍ତି। ଏହି କୋଠା ସର୍ଦ୍ଦାର ପଟେଲ୍‌ଙ୍କ ପ୍ରତିମୂର୍ତ୍ତିଠାରୁ ୬୮ ମିଟର ଅଧିକ ଉଚ୍ଚ ହେବ ଏବଂ ଏହାକୁ ବିଶ୍ବର ଉଚ୍ଚତମ ଟାୱାର ବୋଲି ବିବେଚନା କରାଯିବ। ଏ ନେଇ ପ୍ରସ୍ତାବିତ ଢାଞ୍ଚାକୁ ମୁଖ୍ୟମନ୍ତ୍ରୀ ନାଇଡୁ ଚୂଡ଼ାନ୍ତ କରିଛନ୍ତି। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରର ଏକ ପ୍ରମୁଖ ବିରୋଧୀ ଦଳ ରହିଥିବା ନାଇଡୁଙ୍କ ଟିଡିପି (ତେଲୁଗୁ ଦେଶମ୍‌ ପାର୍ଟି) ରାଜ୍ୟ ମଧ୍ୟକୁ ସିବିଆଇକୁ ପୂରାଇ ନଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରବିରୋଧୀ ପଦକ୍ଷେପ ପାଇଁ ନାଇଡୁ ଏବେ ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ପଟେଲ୍‌ଙ୍କ ପ୍ରତିମୂର୍ତ୍ତିଠାରୁ ଆହୁରି ଉଚ୍ଚ ଢାଞ୍ଚା ନିର୍ମାଣ ପାଇଁ ନେଇଥିବା ନିଷ୍ପତ୍ତି ଯୋଗୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଆକାଶ ଛୁଇଁବା ପାଇଁ ଯେମିତି ଦେଶରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନାଇଡୁଙ୍କ ଏଭଳି ଯୋଜନା ପଛରେ ରାଜନୈତିକ ଉଦ୍ଦେଶ୍ୟ ଲୁଚିରହିଥିବା କୁହାଯାଉଛି।

ଏ ବାବଦରେ ନାଇଡୁ କହିଛନ୍ତି, ରାଜ୍ୟର ଅମରାବତୀରେ ପ୍ରସ୍ତାବିତ ଆନ୍ଧ୍ର ବିଧାନସଭା କୋଠା ବିଶ୍ବର ଉଚ୍ଚତମ ଢାଞ୍ଚା ହେବ, ଯାହା ୧୮୨ ମିଟର ଉଚ୍ଚତାବିଶିଷ୍ଟ ପଟେଲ୍‌ଙ୍କ ମୂର୍ତ୍ତିଠାରୁ ୬୮ ମିଟର ଅଧିକ ଉଚ୍ଚ ହେବ। ବିଧାନସଭା କୋଠା ୩ ମହଲାବିଶିଷ୍ଟ ହେବ ଏବଂ କୋଠା ଉପରେ ୨୫୦ ମିଟର ଉଚ୍ଚତା ବିଶିଷ୍ଟ ଅନନ୍ତ ଆକାଶକୁ ଛୁଇଁପାରୁଥିବା ଉଚ୍ଚତମ ଟାୱାର ନିର୍ମାଣ କରାଯିବ। ତେବେ ଏହି ଦୌଡ଼ରେ ନାଇଡୁ ଏକା ନୁହନ୍ତି। ଷ୍ଟାଚ୍ୟୁ ଅଫ୍ ୟୁନିଟି ଉଦ୍‌ଘାଟନ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ୧୫୧ ମିଟର ଉଚ୍ଚତାବିଶିଷ୍ଟ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। କର୍ଣ୍ଣାଟକ ସରକାର ମଧ୍ୟ ଆକାଶ ଛୁଇଁବା ପାଇଁ ଦୌଡ଼ରେ ସାମିଲ ହୋଇଛନ୍ତି। ସରକାର ରାଜ୍ୟରେ ମା କାବେରୀଙ୍କ ୧୨୫ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ନିର୍ମାଣ କରିବେ ବୋଲି ଘୋଷଣା କରିଥିବା ବେଳେ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନ ସରକାର ମଧ୍ୟ ସବୁଠୁ ଉଚ୍ଚ ଶିବମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ପଟେଲ୍‌ ପ୍ରତିମୂର୍ତ୍ତିର ଉଚ୍ଚତା ୫୯୭ ଫୁଟ ହୋଇଥିବା ବେଳେ ରାଜସ୍ଥାନରେ ୩୫୧ ଫୁଟ୍‌ର ଶିବମୂର୍ତ୍ତି ନିର୍ମାଣ କରାଯିବ। ଏହି ପ୍ରତିମୂର୍ତ୍ତିର ୮୫% କାମ ଶେଷ ହୋଇଥିବା ବେଳେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ଉନ୍ମୋଚିତ ହେବ। ଏହାର ଉଦ୍‌ଘାଟନ ପରେ ଏହା ବିଶ୍ବର ଚତୁର୍ଥ ଉଚ୍ଚତମ ପ୍ରତିମୂର୍ତ୍ତି ହେବ।

ସମ୍ବନ୍ଧିତ ଖବର