ମୁମ୍ବାଇ: ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଆଜି ମୁମ୍ବାଇର ୱର୍ଲିସ୍ଥିତ ଶ୍ମଶାନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି ରାତିରେ ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ଏହି ଖବର ସାରା ଦେଶରେ ବିଦ୍ୟୁତ୍‌ ବେଗରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶୋକରଛାୟା ଖେଳି ଯାଇଥିଲା। ଆଜି ତାଙ୍କ ମରଶରୀରକୁ ପ୍ରଥମେ ରାଷ୍ଟ୍ରୀୟ ପ୍ରଦର୍ଶନ କଳା କେନ୍ଦ୍ର (ଏନ୍‌ସିପିଏ)କୁ ସକାଳ ପ୍ରାୟ ୧୦ଟାରେ ଅଣାଯାଇଥିଲା। ସେଠାରେ ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ରଖାଯାଇଥିଲା। ତାଙ୍କ ପ୍ରିୟ କୁକୁର ‘ଗୋଆ’ ମଧ୍ୟ ଶେଷ ଦର୍ଶନ କରିଥିଲା।

Advertisment

ଏନ୍‌ସିପିଏରେ ରଖାଯାଇଥିବା ଟାଟାଙ୍କ ମରଶରୀରକୁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶେଷଦର୍ଶନ କରିଥିଲେ। ଏଥିସହିତ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ, ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି, ପତ୍ନୀ ନୀତା ଅମ୍ବାନି, ପୁଅ ଆକାଶ ଏବଂ ବୋହୂ ‌‌ଶ୍ଳୋକା, ବିର୍ଲା ଗ୍ରୁପ୍‌ ମୁଖ୍ୟ କୁମାର ମଙ୍ଗଳମ୍‌ ବିର୍ଲା, ଅଭିନେତା ଆମିର ଖାନ୍‌, ସାବତ ଭାଇ ନୋଏଲ ଟାଟା, ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ଜାତୀୟ ପତାକା ତାଙ୍କ ଶରୀର ଉପରେ ବିଛାଯାଇଥିଲା। ଅପରାହ୍ଣ ପ୍ରାୟ ୩ଟା ୪୫ ମିନିଟ ବେଳକୁ ତାଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ୱର୍ଲିସ୍ଥିତ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମହାରାଷ୍ଟ୍ର ପୁଲିସ ପକ୍ଷରୁ ତୋପ ସଲାମୀ ଦିଆଯାଇଥିଲା। ଏଠାରେ ମଧ୍ୟ କେନ୍ଦ୍ରମନ୍ତ୍ରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କୁମାର ମଙ୍ଗଳମ ବିର୍ଲାଙ୍କ ସମେତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ। 

ପାର୍ସି ପରମ୍ପରା ଅନୁସାରେ ସେଠାରେ ପ୍ରାର୍ଥନା କରାଯାଇଥିଲା। ଭିଆଇପିମାନେ ଶ୍ମଶାନରୁ ଯିବାପରେ ଟାଟା ଗ୍ରୁପ୍‌ର କର୍ମଚାରୀମାନଙ୍କୁ ସେଠାରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ଶ୍ମଶାନ ଫାଟକ ବାହାରେ ଦୀର୍ଘସମୟ ଧରି ଅପେକ୍ଷା କରିଥିବା ଟାଟା ଗ୍ରୁପ୍‌ର କର୍ମଚାରୀମାନେ ବହୁସଂଖ୍ୟାରେ ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ସୁଅ ଭଳି ମାଡ଼ି ଆସିଥିଲେ। ରତନ ଟାଟାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ସେଠାକାର ବିଦ୍ୟୁତ୍‌ ଚୁଲାରେ ସବୁଦିନ ପାଇଁ ପାର୍ଥିକ ଦୁନିଆରୁ ବିଦାୟ ଦିଆଯାଇଛି ଏବଂ ତାଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି। ଏଥିସହିତ ରତନ ଟାଟାଙ୍କ ଯୁଗର ଅବସାନ ଘଟିଛି। ଦାହ ପରେ ରତନ ଟାଟାଙ୍କ କୋଲାବାସ୍ଥିତ ବଙ୍ଗଳାରେ ୩ ଦିନ ପାଇଁ ପରମ୍ପରା ମୁତାବକ ବିଭିନ୍ନ କାର୍ଯ୍ୟକ୍ରମ ପାଳନ ହେବ। ଟାଟାଙ୍କ ମୃତ୍ୟୁ ଖବର ପାଇଁ ଦେଶବିଦେଶର ବହୁ ରାଜନେତା, ପ୍ରଶାସକ, ଅଭିନେତା, କ୍ରୀଡ଼ାବିତ୍‌, ଶିଳ୍ପପତି, ଉଦ୍ୟୋଗବିିତ୍‌ ଶୋକବ୍ୟକ୍ତ କରିଛନ୍ତି। ରତନ ଟାଟାଙ୍କ ମୃତ୍ୟୁ ଉଦ୍ୟୋଗଜଗତ ଏବଂ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅନେକ ମତ ଦେଇଛନ୍ତି।