ଏୟାର ଏସିଆ ସିଇଓଙ୍କ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ: ସୁଲଭ ମୂଲ୍ୟରେ ଯାତ୍ରୀଙ୍କୁ ବିମାନ ସେବା ପ୍ରଦାନ କରୁଥିବା ସଂସ୍ଥା ଏୟାର ଏସିଆ ଗ୍ରୁପ୍‌ର ସିଇଓ ଟୋନି ଫର୍ଣ୍ଣାଡିସ୍‌ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ଦାୟର କରାଯାଇଛି। ଆନ୍ତର୍ଜାତିକ ଉଡ଼ାଣ ଲାଇସେନ୍ସ ପାଇବା ପାଇଁ ଟୋନି ଓ ଅନ୍ୟମାନେ ନିୟମ ଉଲ୍ଲଘଂନ କରିଥିଲେ ବୋଲି ସିବିଆଇ ଅଭିଯୋଗ କରିଛି। ଆନ୍ତର୍ଜାତିକ ଉଡ଼ାଣ ଅନୁମତି ହାସଲ କରିବା ପାଇଁ ଏୟାର ଏସିଆର ନିର୍ଦେଶକମାନେ ୫/୨୦ ନିୟମକୁ ଉଲ୍ଲଘଂନ କରିଥିଲେ। ଏହା ସହିତ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବିକାଶ ବୋର୍ଡ (ଏଫ୍‌ଆଇପିବି) ନିୟମକୁ ମଧ୍ୟ ସେମାନେ ଉଲ୍ଳଘଂନ କରିଥିଲେ ବୋଲି ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଛି।
ପ୍ରଚଳିତ ନିୟମ ଅନୁଯାୟୀ, ଆନ୍ତର୍ଜାତିକ ଉଡ଼ାଣ ଅନୁମତି ହାସଲ କରିବାକୁ ହେଲେ ପାଞ୍ଚ ବର୍ଷର ଅଭିଜ୍ଞତା ଓ ପାଖରେ ୨୦ଟି ବିମାନ ଥିବା ଦରକାର। ସିବିଆଇ ଅଭିଯୋଗ କରିଛି ଯେ ଏହି ନିୟମକୁ ଏଡ଼ାଇବା ପାଇଁ ଟୋନି ସରକାରୀ ଅଧିକାରୀଙ୍କ ନିକଟରେ ଲବି କରିଥିଲେ। ସେଥିରେ ସେ ସଫଳ ହୋଇଥିଲେ ଓ ଆବଶ୍ୟକ ମଞ୍ଜୁରି ମଧ୍ୟ ହାସଲ କରିଥିଲେ। ୫/୨୦ ନିୟମକୁ ମଧ୍ୟ ସଫଳତାର ସହିତ ଏଡ଼ାଇ ଯାଇଥିଲେ। ସିବିଆଇ ଦାୟର କରିଥିବା ମାମଲାରେ ଟୋନିଙ୍କ ବ୍ୟତୀତ ଟ୍ରାଭେଲ୍‌ ଫୁଡ୍‌ର ମାଲିକ ସୁନୀଲ୍‌ କପୁର୍‌, ଏୟାର ଏସିଆର ନିର୍ଦେଶକ ଆର୍‌ ଭେଙ୍କଟରମଣଙ୍କ ନାମ ରହିଛି। ତେବେ ଏୟାର ଏସିଆ ଏ ବାବଦ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଏବଂ କୌଣସି ଅନିୟମିତତା ହୋଇନଥିବା ସଂକ୍ରାନ୍ତ ପ୍ରମାଣ ଦେବୁ ବୋଲି କହିଛି।

ସମ୍ବନ୍ଧିତ ଖବର