ମାନହାନି ମାମଲା:ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜଫ୍ରେମ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଜି ୨୦୧୪ ମସିହାର ଏକ ମାନହାନି ମାମଲାରେ ଚାର୍ଜଫ୍ରେମ୍‌ ହୋଇଛି। ରାହୁଲ ଏହି ମାମଲାରେ ଖୁବ୍‌ଶୀଘ୍ର ବିଚାର ପ୍ରକ୍ରିୟାକୁ ସାମ୍ନା କରିବେ ବୋଲି ଜଣାପଡ଼ିଛି । ରାହୁଲଙ୍କ ବିରୋଧରେ ଜଣେ ଆରଏସଏସ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) କର୍ମୀ ୨୦୧୪ ମସିହାରେ ମାନହାନି ମାମଲା ରୁଜୁ କରିଥିଲେ। ଆଜି ରାହୁଲଙ୍କ ବିରୋଧରେ ମହାରାଷ୍ଟ୍ରର ଭିଓ୍ଵାଣ୍ଡି କୋର୍ଟରେ ଆଇପିସିର ଧାରା ୪୯୯ (ମାନହାନି) ଏବଂ ଧାରା ୫୦୦ (ମାନହାନି ପାଇଁ ଦଣ୍ଡ) ଅଧୀନରେ ଚାର୍ଜଫ୍ରେମ୍‌ ହୋଇଛି। ତେବେ ରାହୁଲ ଆଜି କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ୨୦୧୪ ମସିହାରେ ଭିଓ୍ଵାଣ୍ଡିରେ ଏକ ର‍୍ୟାଲିରେ ରାହୁଲ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ଆରଏସଏସ୍‌ ସଂପୃକ୍ତ ଥିଲା। ରାହୁଲଙ୍କର ଏଭଳି ବୟାନ ଆରଏସ୍‌ଏସ୍‌ର ସମ୍ମାନ ହାନି କରିଛି ବୋଲି ଦର୍ଶାଇ ଜଣେ କର୍ମୀ ତାଙ୍କ ବିରୋଧରେ ୨୦୧୪ ମସିହାରେ ମାନହାନି ମାମଲା ରୁଜୁ କରିଥିଲେ। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ରଖିଛନ୍ତି। ପରବର୍ତ୍ତୀ ଶୁଣାଣିରେ ରାହୁଲଙ୍କ ବିରୋଧରେ ଦାଖଲ ହୋଇଥିବା ତାଙ୍କ ଭାଷଣର ଭିଡିଓ ରେକର୍ଡିଂକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ କି ନାହିଁ ସେ ନେଇ କୋର୍ଟ ନିର୍ଦ୍ଦେଶ ଦେବେ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଆଜି କୋର୍ଟରୁମ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପି ଏବଂ ଆରଏସଏସ୍‌ ମୋ ବିରୋଧରେ ଯେତେ ମାମଲା ଆଣିଲେ ମଧ୍ୟ ସବୁଥିରେ ମୋର ବିଜୟ ହେବ।
ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀ ଏହି ମାମଲାକୁ ରଦ୍ଦ କରିଦେବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ କହିଥିଲେ ଯେ ଯଦି ରାହୁଲ ନିଜ ବୟାନକୁ ନେଇ ଅନୁତାପ କରୁନାହାନ୍ତି ତେବେ ସେ ବିଚାରକୁ ସାମ୍ନା କରିବା ଉଚିତ୍‌। ଏହାପରେ ରାହୁଲ ମାନହାନି ମାମଲାରେ ବିଚାର ପ୍ରକ୍ରିୟାକୁ ସାମ୍ନା କରିବାକୁ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର