ଟ୍ରମ୍ପଙ୍କ ପାଇଁ ହଙ୍ଗାମା:ଜବାବ ରଖିଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କଶ୍ମୀର ପ୍ରସଙ୍ଗରେ ଯେଉଁ ବିବାଦୀୟ ଟିପ୍ପଣୀ ରଖିଛନ୍ତି ତାକୁ ନେଇ ଏବେ ରାଜନୀତି ସରଗରମ ହୋଇଉଠିଛି। ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମଧ୍ୟରେ ଗତକାଲି ହ୍ବାଇଟ୍‌ ହାଉସ୍‌‌ରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଟ୍ରମ୍ପ୍‌ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକ‌ାଶ କରିଥିଲେ। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ମଧ୍ୟସ୍ଥତା କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପ୍‌ଙ୍କୁ କିଛି ସପ୍ତାହ ପୂ‌ର୍ବେ ଅନୁରୋଧ କରିଥିଲେ ବୋଲି ସେ କହିଥିଲେ। ତେବେ ଟ୍ରମ୍ପ୍‌ଙ୍କର ଏହି ବିବାଦୀୟ ବୟାନକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ବିରୋଧୀ ଦଳ ଗୁଡ଼ିକ ଏବେ ଏହି ପ୍ରସଙ୍ଗରେ ସରକାରକୁ ଘେରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ରାଜ୍ୟସଭାରେ କହିଛନ୍ତି ଯେ ମୋଦୀ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ଆଦୌ ଅନୁରୋଧ କରିନାହାନ୍ତି। ପାକିସ୍ତାନ ସହ ଥିବା ସମସ୍ତ ପ୍ରସଙ୍ଗ ଗୁଡ଼ିକ କେବଳ ଦ୍ବିପାକ୍ଷିକ ଭାବେ ସମାଧାନ ହେବ, ଏଥିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିବେନି ବୋଲି ଜୟଶଙ୍କର କହିଛନ୍ତି। ଅନ୍ୟପକ୍ଷେ ବିରୋଧୀ ଦଳ ଗୁଡ଼ିକ ଏହି ପ୍ରସଙ୍ଗରେ ମୋଦୀଙ୍କଠାରୁ ସ୍ପ‌ଷ୍ଟୀକରଣ ମାଗିଛନ୍ତି।
ଟ୍ରମ୍ପ୍‌ଙ୍କ କଶ୍ମୀର ମଧ୍ୟସ୍ଥତା ଟିପ୍ପଣୀ ପ୍ରସଙ୍ଗରେ ଆଜି ସଂସଦର ଉଭୟ ଗୃହରେ ହଙ୍ଗାମା ହୋଇଥିଲା। କଶ୍ମୀର ଏକ ଦ୍ବିପାକ୍ଷିକ ପ୍ରସଙ୍ଗ। ଏଥିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେନି। ତେଣୁ ମୋଦୀ ଏନେଇ ନିଜେ ଆସି ଗୃହରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିରୋଧୀ ଦଳ ଗୁଡ଼ିକ ସଂସଦରେ ଦାବି କରିଥିଲେ। କଂଗ୍ରେସ ନେତା ଆନନ୍ଦ ଶର୍ମା ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ଆଜି ରାଜ୍ୟସଭାରେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ମୋଦୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ତେବେ ଏହି ପ୍ରସଙ୍ଗ‌ରେ ଜୟଶଙ୍କରଙ୍କ ଜବାବ ପରେ ମଧ୍ୟ ବିରୋଧୀ ଦଳ ଗୁଡ଼ିକ ଗୃହରେ ହୋହାଲ୍ଳା କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ଆଜି ସକାଳେ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖିଥିଲେ। ଅନ୍ୟପକ୍ଷେ ଲୋକସଭାରେ ମଧ୍ୟ ବିରୋଧୀ ଦଳ ଗୁଡ଼ିକ ଟ୍ରମ୍ପ୍‌ଙ୍କ ଟିପ୍ପଣୀ ନେଇ ମୋଦୀଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ ଏବଂ ହୋହାଲ୍ଲା କରି ଗୃହ ତ୍ୟାଗ କରିଥିଲେ। ଆଜି ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ଟ୍ରମ୍ପ୍‌ଙ୍କ ଟିପ୍ପଣୀ ପ୍ରସଙ୍ଗରେ ସ୍ଲୋଗାନ୍‌ ଦେଇ ପ୍ରବଳ ବିରୋଧ କରିଥିଲେ। ପରେ ଶୂନ୍ୟକାଳ ଆରମ୍ଭ ହେବା ସମୟରେ କଂଗ୍ରେସ ନେତା ମନୀଶ ତିୱାରି କହିଛନ୍ତି, ଟ୍ରମ୍ପ୍‌ ଦେଇଥିବା ଟିପ୍ପଣୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ମୋଦୀ ନିଜେ ଏନେଇ ସ୍ପଷ୍ଟୀକରଣ ଦେବା ଉଚିତ୍‌। ଜୟଶଙ୍କର ଏସଂକ୍ରାନ୍ତରେ ଜବାବ ରଖିବାରୁ ଚେଷ୍ଟା କଲାବେଳେ ବିରୋଧୀଦଳମାନେ ହୋହାଲ୍ଲା କରି କିଛି କୁହାଇ ଦେଇନଥିଲେ ଏବଂ ପରେ ଗୃହ ତ୍ୟାଗ କରିଥିଲେ।

କଂଗ୍ରେସର କଡ଼ା ସମାଲୋଚନା

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଶ୍ମୀର ମଧ୍ୟସ୍ଥତା ଟିପ୍ପଣୀ ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛି। ମୋଦୀ ଟ୍ରମ୍ପ୍‌ଙ୍କ ଟିପ୍ପଣୀ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବା ଉଚିତ୍‌ ବୋଲି କଂଗ୍ରେସ ଦାବି କରିଛି। ଏକ ଟ୍ବିଟ୍‌ ମାଧ୍ୟମରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁ‌ର୍ଯ୍ୟେୱାଲା କହିଛନ୍ତି, ଭାରତ କେବେ ବି ଜମ୍ମୁ କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତ‌‌କ୍ଷେପ ଚାହିବନି ଏବଂ ମୋଦୀ ଏହି ପ୍ରସଙ୍ଗରେ ଦେଶକୁ ଉତ୍ତର ଦେବା ଉଚିତ୍‌। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏନେଇ ‌ମୋଦୀଙ୍କୁ ଆକ୍ରମଣ କରିବାର ଏକ ନୂଆ ସୁଯୋଗ ପାଇଛନ୍ତି। ଟ୍ରମ୍ପ୍‌ଙ୍କ ଟିପ୍ପଣୀରେ ପ୍ରତିକ୍ରିୟା ପ୍ରକାଶ କରି ରାହୁଲ କହିଛନ୍ତି, ଯଦି ଟ୍ରମ୍ପ୍‌ଙ୍କ ଟିପ୍ପଣୀ ସତ ହୋଇଥାଏ ତେବେ ମୋଦୀ ଦେଶର ସ୍ବାର୍ଥ ଏବଂ ୧୯୭୨ ସିମ୍‌ଲା ଚୁକ୍ତିକୁ ଧୋକା ଦେଇଛନ୍ତି ବୋଲି ଧରି ନିଆଯିବ। ମୋଦୀ ଦେଶବାସୀଙ୍କୁ ଏହି ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ଦେବା ଉଚିତ୍‌। ଟ୍ରମ୍ପ୍‌ଙ୍କ ସହ ହୋଇଥିବା ବୈଠକରେ‌ କେଉଁ ବିଷୟରେ ଆଲୋଚନା ହୋଇଥିଲା ସେନେଇ ମୋଦୀ ଦେଶବାସୀଙ୍କୁ ଉତ୍ତର ଦେବା ଉଚିତ୍‌ ବୋଲି ରାହୁଲ କହିଛନ୍ତି।
ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ ଟ୍ରମ୍ପ୍‌ଙ୍କର ଏହି ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ମୋଦୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଟ୍ରମ୍ପ୍‌ କ’ଣ କହୁଛନ୍ତି ସେ ବିଷୟରେ ତାଙ୍କର ସାମାନ୍ୟତମ ଧାରଣା ମଧ୍ୟ ରହୁନାହିଁ।

ଦ୍ବିପାକ୍ଷିକ ଆଲୋଚନାରେ ସମାଧାନ ହୋଇପାରିବନି: ଇମ୍ରାନ୍‌
ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତକାଲି କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିବାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଟ୍ରମ୍ପ୍‌ଙ୍କ କଥାରେ ଏକପ୍ରକାର ସମ୍ମତି ପ୍ରକାଶ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ କଶ୍ମୀର ପ୍ରସଙ୍ଗକୁ ନେଇ ଯେଉଁ ବିବାଦ ଲାଗି ରହିଛି ତାହା ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବନି। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ଅଛି ବୋଲି ଇମ୍ରାନ୍‌ ତାଙ୍କର ଏହି କଥା ମାଧ୍ୟମରେ ସ୍ପଷ୍ଟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ କଶ୍ମୀର ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ କହି ଆସୁଥିଲେ ମଧ୍ୟ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆତଙ୍କବାଦ ଏବଂ ଆଲୋଚନା ଏକା ସାଙ୍ଗରେ ହୋଇପାରିବନି ବୋଲି ଭାରତ କହିଛି।

ହ୍ବାଇଟ୍‌ ହାଉସ୍‌ର ସଫେଇ
ମଧ୍ୟସ୍ଥତା ନୁହେଁ, ସହଯୋଗ

ୱାସିଂଟନ୍‌ : ଆମେରିକା‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଶ୍ମୀର ମଧ୍ୟସ୍ଥତା ଟିପ୍ପଣୀ ପାଇଁ ତାଙ୍କୁ ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିବାବେଳେ ଟ୍ରମ୍ପ୍‌ ପ୍ରଶାସନ ଏବେ ଏହି ପ୍ରସଙ୍ଗରେ ସଫେଇ ଦେଇଛି। କଶ୍ମୀର ପ୍ରସଙ୍ଗ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଦ୍ବିପାକ୍ଷିକ ପ୍ରସଙ୍ଗ। ଉଭୟ ଭାରତ ଏବଂ ପାକିସ୍ତାନ ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାପାଇଁ ଆମେରିକା ସ୍ବାଗତ ଜଣା‌ଉଛି ଏବଂ ଆମେରିକା ମଧ୍ୟ ଏହି ଦ୍ବିପାକ୍ଷିକ ଆଲୋଚନା ପାଇଁ ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପ‌କ୍ଷେ ୟୁଏସ୍‌ କଂଗ୍ରେସର ଜଣେ ବରିଷ୍ଠ ନେତା ବ୍ରାଡ୍‌ ଶେରମାନ୍‌ ଟ୍ରମ୍ପ୍‌ଙ୍କ ଏଭଳି ବିବାଦୀୟ ବୟାନ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶେରମାନ୍‌ ଏକ ଟ୍ବିଟ୍‌ କରି କହିଛନ୍ତି, ସମସ୍ତେ ଭଲଭାବେ ଅବଗତ ଅଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ କଶ୍ମୀର ପ୍ରସଙ୍ଗରେ କେବେ ବି ତୃତୀୟ ପକ୍ଷକୁ ମଧ୍ୟସ୍ଥତା କରିବାକୁ କହିବେନି। ଟ୍ରମ୍ପ୍‌ଙ୍କ ଏହି ଟିପ୍ପଣୀ ଏକ ଭ୍ରମ ଏବଂ ଏହା ଆମେରିକା ପାଇଁ ଲଜ୍ଜାଜନକ ବୋଲି ଶେରମାନ୍‌ କହିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ଟିପ୍ପଣୀ ପାଇଁ ସେ ଆମେରିକାରରେ ନିଯୁକ୍ତ ହୋଇଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ କ୍ଷମା ମାଗିଛନ୍ତି।

ସମ୍ବନ୍ଧିତ ଖବର