ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସୁପ୍ରିମ୍ କୋର୍ଟର ପୂର୍ବତନ ମହିଳା କର୍ମଚାରୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇଙ୍କ ନିକଟରେ ପୁଣି ଆଗତ କରିବେ ଏକ ମାମଲା
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସୁପ୍ରିମ୍ କୋର୍ଟର ପୂର୍ବତନ ମହିଳା କର୍ମଚାରୀ, ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇଙ୍କ ନିକଟରେ ଖୁବ୍ଶୀଘ୍ର ପୁଣି ଏକ ମାମଲା (ଅପିଲ) ଆଗତ କରିବେ ବୋଲି ଜାଣିବାକୁ ମିଳିଛି। ତାଙ୍କୁ ସୁପ୍ରିମ୍ କୋର୍ଟରୁ ବହିଷ୍କାର କରାଯିବା ଘଟଣା ବେଆଇନ୍ ଥିବା ଦର୍ଶାଇ ସଂପୃକ୍ତା ମହିଳା ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇଙ୍କ ନିକଟରେ ଏହି ମାମଲା ଆଗତ (ଅପିଲ) କରିବେ ବୋଲି ତାଙ୍କ ଓକିଲ ତଥା ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ନିଯୁକ୍ତିି ନିୟମାବଳୀ ବା ସର୍ଭିସ୍ ରୁଲ୍ ଅଧୀନରେ ‘ଅପିଲ’ କରିବାର ଅଧିକାର ସମସ୍ତଙ୍କର ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୩୬ ବର୍ଷ ବୟସ୍କା ସୁପ୍ରିମ୍ କୋର୍ଟର ପୂର୍ବତନ ମହିଳା କର୍ମଚାରୀ ଜଣକ ଗତ ଅପ୍ରେଲ ୧୯ ତାରିଖରେ ଏକ ସତ୍ୟପାଠରେ ଅଭିଯୋଗ କରି କହିଥିଲେ ଯେ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇଙ୍କ ଅବାସିକ କାର୍ଯ୍ୟାଳୟରେ ସେ ମୁତୟନ ଥିବା ସମୟରେ ୨୦୧୮ ଅକ୍ଟୋବର ୧୦ ଓ ୧୧ ତାରିଖରେ ଜଷ୍ଟିସ୍ ଗୋଗେଇ ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ ପୂର୍ବକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ତେବେ, ସେ ଏହାର ବିରୋଧ କରିବାରୁ ତାଙ୍କୁ ନଭେମ୍ବର ୨୭ ତାରିଖରେ ଆକ୍ରୋଶମୂଳକ ଭାବେ ଚାକିରୀରୁ ବହିଷ୍କାର କରି ଦିଆ ଯାଇଥିଲା ବୋଲି ସେ କରିଥିବା ସତ୍ୟପାଠରେ ଅଭିଯୋଗ କରିଥିଲେ। ଏବଂ ସେ ଏହି ସତ୍ୟପାଠର ନକଲ ସୁପ୍ରିମ୍ କୋର୍ଟର ସମସ୍ତ ୨୨ଜଣ ଯାକ ବିଚାରପତିଙ୍କ ନିକଟକୁ ପଠାଇ ଦେଇଥିଲେ।