ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହ୍ବିପ୍‌ ଲାଗୁ ହେବନାହିଁ

କର୍ଣ୍ଣାଟକ ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ: ଆଜି ଆସ୍ଥା ଭୋଟ୍‌, ସରକାରଙ୍କ ଭବିଷ୍ୟତ ନେଇ ସସ୍‌ପେନ୍ସ ଜାରି ଇସ୍ତଫା ଗୃହୀତ ହେଲେ ଗୃହର ସଦସ୍ୟ ସଂଖ୍ୟା ୨୦୮କୁ ଖସି ଆସିବ

ବେଙ୍ଗାଲୁରୁ,: କର୍ଣ୍ଣାଟକରେ ଏଚ୍‌ଡି କୁମାରସ୍ବାମୀ ସରକାରର ଭବିଷ୍ୟତ ନେଇ ସସ୍‌ପେନ୍ସ ଜାରି ରହିଛି। ଆସନ୍ତାକାଲି ବିଧାନସଭାରେ ଆସ୍ଥା ଭୋଟ୍‌ ନେଇ ଚର୍ଚ୍ଚା ହେବାକୁ ସ୍ଥିର ହୋଇଥିବା ବେଳେ ଆଜି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ ସରକାରଙ୍କ ପାଇଁ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ କହିଛନ୍ତି ଯେ ଇସ୍ତଫା ଦେଇଥିବା ୧୫ ଜଣ ବିଧାୟକଙ୍କ ବିରୋଧରେ ଦଳୀୟ ହ୍ବିପ୍‌ ଲାଗୁ ହୋଇପାରିବ ନାହିଁ କିମ୍ବା ସେମାନଙ୍କୁ ବିଧାନସଭାର କୌଣସି କାର୍ଯ୍ୟରେ ସାମିଲ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ସୁପ୍ରିମ୍‌ କୋର୍ଟ ବାଚସ୍ପତି କେଆର୍‌ ରମେଶ କୁମାରଙ୍କୁ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବା ଦାୟିତ୍ବ ଛାଡ଼ି ଦେଇଛନ୍ତି। ବାଚସ୍ପତି ଏଥିପାଇଁ ଯେତେ ସମୟ ନେବା କଥା ନିଅନ୍ତୁ ବୋଲି କୋର୍ଟ କହିଛନ୍ତି। ବିଧାୟକଙ୍କ ସଂପର୍କରେ ବାଚସ୍ପତି ଯେଉଁ ନିଷ୍ପତ୍ତି ନେବେ ତାହାକୁ କୋର୍ଟରେ ଉପସ୍ଥାପନ କରାଯିବାକୁ ମଧ୍ୟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ଆସ୍ଥା ଭୋଟ୍‌ ସମୟରେ ଦଳୀୟ ହ୍ବିପ୍‌କୁ ଅମାନ୍ୟ କରି ଯଦି ବିଦ୍ରୋହୀ ବିଧାୟକ ଅନୁପସ୍ଥିତ ରହିବେ ତା’ହେଲେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ। ଆସ୍ଥା ଭୋଟ୍‌ ପାଇଁ ତାରିଖ ଘୋଷଣାର ବହୁ ପୂର୍ବରୁ ସେମାନେ ବାଚସ୍ପତିଙ୍କୁ ଇସ୍ତଫା ଦେଇଥିବାରୁ ଏ କ୍ଷେତ୍ରରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ବିଦ୍ରୋହୀ ବିଧାୟକଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଛି।

ଯଦି ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା ହୁଏ ତା’ହେଲେ ଗୃହର ମୋଟ ସଦସ୍ୟ ସଂଖ୍ୟା ୨୨୪ରୁ କମି ୨୦୮ରେ ରହିବ। ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ୧୦୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିବା ବେଳେ କୁମାରସ୍ବାମୀ ସରକାରଙ୍କ ପାଖରେ ୧୦୧ ବିଧାୟକଙ୍କ ସମର୍ଥନ ରହିବ। ଇସ୍ତଫା ଗୃହୀତ ହେଲେ କଂଗ୍ରେସର ବିଧାୟକ ସଂଖ୍ୟା ୭୯ରୁ କମି ୬୬କୁ ଆସିବ ଏବଂ ଜେଡିଏସ୍‌ ବିଧାୟକଙ୍କ ସଂଖ୍ୟା ୩୭ରୁ ଖସି ୩୪ରେ ପହଞ୍ଚିବ। ଏଭଳି ସ୍ଥିତିରେ ବିଜେପିକୁ ଯଥେଷ୍ଟ ଫାଇଦା ମିଳିବ। ବିଜେପି ପାଖରେ ଏବେ ନିଜର ୧୦୫ ବିଧାୟକ ଥିବା ବେଳେ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ଯଦି ବାଚସ୍ପତି ବିଧାୟକଙ୍କ ଇସ୍ତଫା ମଂଜୁର କରିବେ ନାହିଁ ଏବଂ ବିଦ୍ରୋହୀ ବିଧାୟକମାନେ ଗୃହରେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ୍‌ ଦେବେ ତା’ହେଲେ ସେଭଳି ସ୍ଥିତିରେ ହିଁ ସରକାର ତିଷ୍ଠି ରହିବ।

ସମ୍ବନ୍ଧିତ ଖବର