ଚିଦମ୍ବରମଙ୍କ ବିରୋଧରେ ଅଭିଯୋଗ

ତଦନ୍ତ ପାଇଁ ବାର୍‌ କାଉନସିଲ ଗଠନ କଲା କମିଟି

ଚେନ୍ନାଇ: ବରିଷ୍ଠ ଆଇନଜୀବୀ ପଦବିର ଅପବ୍ୟବହାର କରିଥିବା ନେଇ ପି ଚିଦମ୍ବରମ୍ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ବାର୍‌ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ନିକଟରେ ଏକ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ବିସିଆଇ ପକ୍ଷରୁ ରବିବାର ଏକ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇ ନପାରିବାରୁ ବିସିଆଇ ଏକ ୪ ଜଣିଆ ତଦନ୍ତ କମିଟି ଗଠନ କରିଛି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉକ୍ତ କମିଟିକୁ କୁହାଯାଇଛି। ସିବିଆଇ, ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଦି ସଂସ୍ଥା ପକ୍ଷରୁ ତାଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଥିଲେ ମଧ୍ୟ ଚିଦମ୍ବରମ୍ ତାଙ୍କର ଏକ ଆଗୁଆ ଜାମିନ ମାମଲାର ଶୁଣାଣି ବେ‌ଳେ ସେ ଏକ ଟ୍ରାଏଲ କୋର୍ଟକୁ ଚଳିତ ବର୍ଷ ଜାନୁଆରି ୧୧ରେ ବରିଷ୍ଠ ଆଇନଜୀବୀଙ୍କ ରୋବ୍ ପିନ୍ଧି ଆସିଥିଲେ। ଜାନୁଆରି ୧୬ରେ ଜେ ଗୋପାଳକୃଷ୍ଣନ୍‌ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ଏହା ବରିଷ୍ଠ ଆଇନଜୀବୀ ପଦବିରେ ଦୁରୁପଯୋଗ ବୋଲି ଦର୍ଶାଇଥିଲେ। ଚଳିତ ବର୍ଷ ମେ ୩୧ରେ ଏହି ଅଭିଯୋଗକୁ ସୁପ୍ରିମକୋର୍ଟ ବାର୍‌ କାଉନସିଲ୍ ଅଫ୍ ଇଣ୍ଡିଆ ନିକଟକୁ ପଠାଇ ଦେଇଥିଲେ। ଆଜି ଯେଉଁ କମିଟି ଗଠନ ହୋଇଛି ତାହାର ମୁଖ୍ୟ ଭାବେ ବିସିଆଇର ସହ-ଅଧ୍ୟକ୍ଷ ଏସ ପ୍ରଭାକରନ୍ ରହିଛନ୍ତି।

ସମ୍ବନ୍ଧିତ ଖବର