ସିସୋଦିଆଙ୍କ ବିରୋଧରେ ଅଭିଯୋଗ ଆପ୍‌କୁ ପ୍ରଭାବିତ କରିପାରେ

ନୂଆଦିଲ୍ଲୀ, : ସାମ୍ବାଦିକରୁ ସାମାଜିକ କାର୍ଯ୍ୟକର୍ତ୍ତା ଓ ସେଥିରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ବନିଥିବା ମନିଷ ସିସୋଦିଆ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ଅତି କମ୍ ସମୟ‌ ଭିତରେ ସେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ପ୍ରମୁଖ ନେତା ବନିବ‌ା ସହ ଆପ୍ ସରକାରଙ୍କ ସଫଳ ଶିକ୍ଷାନୀତି ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ। କିନ୍ତୁ ଏବେ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ମୁଖ୍ୟମନ୍ତ୍ରୀ କେଜରିୱାଲ ତଥା ଆପ୍ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ।

ଆପ୍ ସରକାରରେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ଯଥା ଅର୍ଥ, ଶିକ୍ଷା, ସ୍ବାସ୍ଥ୍ୟ, ଗୃହ, ଭିଜିଲାନ୍ସ, ପିହବ୍ଲୁଡି, ଯୋଜନା, ନଗର ବିକାଶ ଓ ଗୃହନିର୍ମାଣ ଆଦି ଦାୟିତ୍ବ ସମ୍ଭାଳିବା ବେଳେ ସିସୋଦିଆ ଅନେକ ନୀତିଗତ ପରିବର୍ତ୍ତନ କରିଛନ୍ତି। ହାଓଲା କାରବାରକୁ ନେଇ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହେବା ପରେ ତାଙ୍କ ବିଭାଗର ଦାୟିତ୍ବ ବି ସିସୋଦିଆ ନେଇଥିଲେ। କିନ୍ତୁ ବର୍ତ୍ତମାନ ନୂଆ ଅବକାରୀ ନୀତିକୁ ନେଇ ତଥା ବିଦ୍ୟାଳୟ ଶ୍ରେଣୀଗୃହ ନିର୍ମାଣ ଦୁର୍ନୀତିକୁ ନେଇ ବି ତାଙ୍କ ବିରୋଧରେ ବିଜେପି କରିଛି ଅଭିଯୋଗ।

ଦିଲ୍ଲୀ ସରକାରୀ ବିଦ୍ୟାଳୟଗୁଡ଼ିକର ଉଭୟ ରୂପାତ୍ମକ ଓ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସିସୋଦିଆଙ୍କୁ ଶ୍ରେୟ ଦିଆଯାଏ। କିନ୍ତୁ ବିଜେପି ଓ ଅନ୍ୟ ବିରୋଧୀ ଦଳଙ୍କ ଅଭିଯୋଗ ଅନୁସାରେ ଦିଲ୍ଲୀ ସ୍କୁଲଗୁଡ଼ିକର ପ୍ରଗତି ସମ୍ପର୍କରେ ମିଥ୍ୟା ଚିତ୍ର ଦିଆଯାଇଛି। ଗତବର୍ଷ ଦିଳ୍ଲୀ ବିଜେପି ନେତାମାନେ ଅଭିଯୋଗ କରିଥିଲେ ଯେ ସହରରେ ବିଭିନ୍ନ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣରେ ଦୁର୍ନୀତି ହୋଇଛି। ଏଥିନେଇ ସେମାନେ ସିସୋଦିଆ ଓ ଜୈନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଶାଖାରେ ଅଭିଯୋଗ କରିଛନ୍ତି।

ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନରେ ବଡ଼ ଖେଳ ଦେଖାଇବା ପାଇଁ ଆପ୍ ଯୋଜନା କରୁଥିବା ବେଳେ ଏହି ଦୁର୍ନୀତି ଅଭିଯୋଗ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ସିସୋଦିଆଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ଶିକ୍ଷାନୀତିକୁ ଆଗରେ ରଖି ଆପ୍ ସବୁବେଳେ ନିର୍ବାଚନ ପ୍ରଚାର କରି ଆସିଛି। ସ୍ବାସ୍ଥ୍ୟମନ୍ତ୍ରୀ ଜୈନ ଗିରଫ ହୋଇ ଜେଲରେ ଥିବା ବେଳେ ପୁଣି ସିସୋଦିଆଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ କ’ଣ କରିବ ଆପ୍? ନିକଟରେ ବିଧାନସଭା ଅଧିବେଶନରେ କେଜରିୱାଲ କହିଥିଲେ- ‘‘ଆଗକୁ ସିସୋଦିଆ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ସେ କ’ଣ ଆପଣମାନଙ୍କ ଆଖିକୁ ଚୋର ପରି ଦେଖାଯାଉଛନ୍ତି?’’ କେଜରିୱାଲ ଯାହା କହନ୍ତୁ ନା କାହିଁକି ଉଭୟ ଜୈନ ଓ ସିସୋଦିଆଙ୍କ କଳାଛାଇ ତାଙ୍କ ନିର୍ମଳ ଭାବମୂର୍ତ୍ତିକୁ ଯେ ମଳିନ କରିବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର