ନୂଆଦିଲ୍ଲୀ: ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ଲାଞ୍ଚ ନେଉଛନ୍ତି ବୋଲି ଦାବି କରି ଦୁବେ ଲୋକସଭା ବାସସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ପତ୍ର ଲେଖିଛନ୍ତି ଏବଂ ଏହାର ତଦନ୍ତ ପାଇଁ କମିଟି ଗଠନ କରିବାକୁ ଅନୁରୋଧ କରିଛନ୍ତି। ମହୁଆ ବ୍ୟବସାୟୀ ଦର୍ଶନ ହୀରନନ୍ଦାନିଙ୍କଠାରୁ ପ୍ରଶ୍ନ କରିବାକୁ ଲାଞ୍ଚ ନେଇଥିବା ପ୍ରମାଣ ରହିଛି ବୋଲି ଦୁବେ କହିଛନ୍ତି ଏବଂ ତତ୍କାଳ ମହୁଆଙ୍କୁ ସଂସଦରୁ ନିଲମ୍ବନ କରିବା ପାଇଁ ଦାବି କରିଛନ୍ତି। ମହୁଆ ନଗଦ ଏବଂ ଉପହାର ମାଧ୍ୟମରେ ଏଭଳି କାରବାର ଚଳାଇଛନ୍ତି ବୋଲି ଦୁବେ ଅଭିଯୋଗ କରିଥିବା ବେଳେ ମହୁଆ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ସିବିଆଇ ଯଦି ଆଦାନି ମାମଲାର ତଦନ୍ତ ପରେ ଫୁରୁସତ ପାଇବ ତା’ହେଲେ ତାଙ୍କ ସଂପର୍କରେ ମଧ୍ୟ ଯାଞ୍ଚ କରିବାକୁ ଆସିପାରିବ। ନିଶିକାନ୍ତ ଦୁବେଙ୍କ ଏମ୍‌ବିଏ ଏବଂ ପିଏଚ୍‌ଡି ଡିଗ୍ରି ନକଲି ବୋଲି ସେ କହିଛନ୍ତି।