ନୂଆଦିଲ୍ଲୀ : ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଚୀନ୍କୁ ଗତମାସରେ ଅନୁଷ୍ଠିତ ଦୁଇ ଦେଶର ସ୍ବତନ୍ତ୍ର ପ୍ରତିନିଧିମାନଙ୍କ ନିଷ୍ପତ୍ତି ମୁତାବକ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ଯେତେ ଶ୍ରୀଘ୍ର ସମ୍ଭବ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଜରୁରୀ ବୋଲି ଗୁରୁବାର ଭାରତ ପୁରୁଣା ଦାବିକୁ ପୁଣି ଦୋହରାଇଛି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ ପାଇଁ ଭାରତ ଅଙ୍ଗୀକାରବଦ୍ଧ ହୋଇ ରହିଛି। ତେବେ ସୀମା ଇଲାକାରେ ଉତ୍ତେଜନା ହ୍ରାସ ସହ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଚୀନ୍କୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବାକୁ ପଡ଼ିବ। ବିଶେଷ କରି ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ଓ ଦେପସାଙ୍ଗ ଇଲାକାରୁ ଚୀନୀ ସେନା ପଛକୁ ହଟୁନଥିବାରୁ ଚୀନ୍ ପଡ଼ୋଶୀମାନଙ୍କ ସହ ଦେଖାଇ ଆସିଥିବା ଆକ୍ରମଣାତ୍ମକ ଆଭିମୁଖ୍ୟ ପଦାରେ ପଡ଼ିବା ସହ ନିରପେକ୍ଷ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଦୃଢ଼ ଦାବି କରୁଛି। ଅପରପକ୍ଷେ, ଚୀନ୍ ଦ୍ବାରା ବିଭିନ୍ନ ଦେଶ ବିଭିନ୍ନ ଉପାୟରେ ଉପକୃତ ହୋଇଥିଲେ ହେଁ ସାମ୍ପ୍ରତିକ ସ୍ଥିତିରେ କେହି ହେଲେ ଏକଜୁଟ୍ ହୋଇ ଚୀନ୍ ପଛରେ ଛିଡ଼ା ହେବା ପାଇଁ ଆଗେଇ ଆସିନାହାନ୍ତି। ସୁତରାଂ ଚୀନ୍ର ଏଭଳି ବିସ୍ତାରବାଦୀ ନୀତିକୁ କେହି ପସନ୍ଦ କରୁନାହାନ୍ତି ବୋଲି ପରୋକ୍ଷରେ ସେମାନେ ସତର୍କ କରାଇ ଦେିଛନ୍ତି। ଏ ପରିପ୍ରେକ୍ଷୀରେ ବେଜିଂର କଠୋରପନ୍ଥୀମାନେ ନିଜ ଆଭିମୁଖ୍ୟରେ କିଛି ପରିବର୍ତ୍ତନ ଆଣୁଥିବା ସୂଚନା ମିଳିଛି।
ସମ୍ପର୍କ ସ୍ବାଭାବିକ କରିବା ପାଇଁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଜରୁରୀ
/sambad/media/post_attachments/wp-content/uploads/2020/08/im-200484.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)