ସରିଲା ଶେଷ ପର୍ଯ୍ୟାୟ ପ୍ରଚାର : ୯୧୮ ପ୍ରାର୍ଥୀ ମଇଦାନରେ, ପଶ୍ଚିମବଂଗରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ‌ଶେଷ ହୋଇଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଦ୍ବିତୀୟ ବାର ସରକାର ଗଠନ ପାଇଁ ଜୋର୍‌ଦାର ପ୍ରୟାସ କରିଥିବା ବେଳେ ଏନ୍‌ଡିଏ ସରକାରକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳମାନେ ମଧ୍ୟ ଯଥା ସମ୍ଭବ ପ୍ରୟାସ କରିଛନ୍ତି। ଶେଷ ପର୍ଯ୍ୟାୟରେ ରବିବାର ଦିନ ୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୫୯ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ପଶ୍ଚିମବଂଗରେ ବ୍ୟାପକ ହିଂସା ଯୋଗୁଁ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକ୍ରମେ ଗତରାତି ୧୦ଟାରୁ ପ୍ରଚାର ବନ୍ଦ ହୋଇଯାଇଥିଲା। ତେବେ ବିଭିନ୍ନ ସ୍ଥାନରେ ବିଜେପି ଏବଂ ଟିଏମ୍‌ସି ସମର୍ଥକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ଆଜି ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ପରିସ୍ଥିତି ଉପରେ ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ଟିମ୍‌ ଅହରହ ନଜର ରଖିଛନ୍ତି।
ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୩ଟି ଲୋକସଭା ଆସନ, ପଂଜାବର ସମସ୍ତ ୧୩ଟି ଆସନ, ପଶ୍ଚିମବଂଗର ୯ଟି ଆସନ, ବିହାର ଏବଂ ମଧ୍ୟ ପ୍ରଦେଶର ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଲୋକସଭା ଆସନ, ଝାଡ଼ଖଣ୍ଡର ୩ଟି ଆସନ ଏବଂ ଚଣ୍ଡିଗଡ଼ ଆସନରେ ଭୋଟ୍‌ ଗ୍ରହଣ ହେବ। ମୋଟ ୯୧୮ ଜଣ ପ୍ରାର୍ଥୀ ଶେଷ ପର୍ଯ୍ୟାୟ ପାଇଁ ମଇଦାନରେ ରହିଛନ୍ତି। ଶେଷ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପଂଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲ ଏବଂ ତାଙ୍କ ପତ୍ନୀ ତଥା କେନ୍ଦ୍ରମନ୍ତ୍ରୀ ହରସିମରନ କୌର, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରନିତ କୌର, ସାଂସଦ ଅନୁରାଗ ଠାକୁର, ଝାଡ଼ଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌, ପୂର୍ବ କେନ୍ଦ୍ରମନ୍ତ୍ରୀ ପି.କେ. ବଂଶଲ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
ଲୋକସଭା ନିର୍ବାଚନ ପାଇଁ ଦୀର୍ଘ ୫୦ ଦିନ ଧରି ଚାଲିଥିବା ମାରାଥନ୍‌ ପ୍ରଚାରରେ ଆଜି ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଶେଷ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଖର୍‌ଗାଓଁରେ ଏକ ମେଗା ରୢାଲିରେ ଉଦ୍‌ବୋଧନ ଦେଇଥିଲେ। ଏଥର ବିଜେପି ଏବଂ ଏନ୍‌ଡିଏ ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇ ପୁଣି କ୍ଷମତାକୁ ଫେରିବ ବୋଲି ମୋଦୀ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବିଏସ୍‌ପି ସୁପ୍ରିମୋ ମାୟାବତୀ ଆଜି ଶେଷ ଦିବସ ପ୍ରଚାରରେ କହିଛନ୍ତି ଯେ କେନ୍ଦ୍ରରୁ ମୋଦୀ ସରକାରର ବିଦାୟ ସୁନିଶ୍ଚିତ ହୋଇଯାଇଛି ଏବଂ ଦେଶ ଜଣେ ନୂଆ ପ୍ରଧାନମନ୍ତ୍ରୀ ପାଇବା ପାଇଁ ରାସ୍ତା ପରିଷ୍କାର ହୋଇଛି।

ସମ୍ବନ୍ଧିତ ଖବର